ଘଟଣା ଓ ଦୁର୍ଘଟଣା

କ୍ଷତିପୂରଣ ସହ ଅଭିଯୁକ୍ତକୁ ଗିରଫ ଦାବୀରେ ଅନୁଗୁଳ ଥାନା ଘେରିଲା ବିଜେପି

By Angul TV Bureau

November 03, 2021

ଅନୁଗୁଳ : ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ମଞ୍ଜୁ ସାହୁଙ୍କୁ ଆକ୍ରମଣ କରିଥିବା ବିଜେଡିର ନଗର ଉପସଭାପତି ଅବିନାଶ ପରିଡାଙ୍କ ସହ ଅନ୍ୟକର୍ମୀ ମାନଙ୍କୁ ଗିରଫ କରିବା ଓ ବିଜେଡି ରାଲିରେ ମୃତ ମହିଳାଙ୍କୁ କ୍ଷତିପୂରଣ ଦେବାକୁ ଦାବିକରି ମଙ୍ଗଳବାର ସକାଳେ ବିଜେପି କର୍ମୀମାନେ ଅନୁଗୁଳ ଥାନା ସମ୍ମୁଖରେ ବିକ୍ଷୋଭ କରିଥିଲେ। ସୂଚନା ଯେ, ଅନୁଗୁଳ ଜିଲ୍ଲା ସଦର ମହକୁମାରେ ସୋମବାର ବିଜେଡିର ରାଲିକୁ ଆସିଥିବା ସ୍ଥାନୀୟ ରାଧାରମଣପଡ଼ା ଅଞ୍ଚଳର ବନିତା ସାହୁଙ୍କର ମୃତ୍ୟୁ ହୋଇଥିଲା। ସେହି ରାଧାରମଣପଡାର ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ମଞ୍ଜୁ ସାହୁ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ଦେଖିବାକୁ ଆସିଥିବା ବେଳେ ବିଜେଡିର ନଗର ଉପସଭାପତି ଅବିନାଶ ପରିଡାଙ୍କ ସହ ଅନ୍ୟକର୍ମୀ ମାନେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। ଫଳରେ ଆହତ ମଞ୍ଜୁଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅନୁଗୁଳ ଥାନାରେ ବିଜେପି ନେତ୍ରୀ ମଞ୍ଜୁଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୁକ୍ତ ଶାସକ ଦଳର ବିଧାୟକ ତଥା ଉପବାଚସ୍ପତି ରଜନୀ କାନ୍ତ ସିଂହଙ୍କ ନିକଟତମ ହୋଇଥିବାରୁ ଦୀର୍ଘ ସମୟ ପରେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ବସିଛି ବୋଲି ଅଭିଯୋଗ କରି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଅନୁଗୁଳ ଥାନାକୁ ଦୀର୍ଘ ସମୟ ଧରି ଘେରାଉ କରିବାସହ ଥାନାରେ ତାଲା ପକାଇ ଧାରଣାରେ ବସିଥିଲେ। ତିନି ଘଣ୍ଟା ପରେ ସଦର ଏସ୍ଡିପିଓ ଭବାନୀ ଶଙ୍କର ଉଦଗାତା ଏବଂ ଆଇଆଇସି ରମେଶ ଚନ୍ଦ୍ର ବିଶୋଇ ପହଞ୍ଚି ବିଜେପି ନେତାମାନଙ୍କ ସହ ଆଲୋଚନା କରିଥିଲେ। ବିଜେଡି ରାଲିରେ ମୃତ୍ୟୁ ହୋଇଥିବା ମହିଳା ବନିତା ସାହୁ ପରିବାରଙ୍କୁ ୫୦ ଲକ୍ଷର କ୍ଷତିପୂରଣ ସହ ବିଜେଡ଼ି କର୍ମୀ ମୁଖ୍ୟ ଅଭିଯୁକ୍ତ ଅବିନାଶ ସମେତ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଲିଖିତ ଭାବେ ଦାବୀ ଉପସ୍ଥାପନ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ମେଡ଼ିକାଲରୁ ବାହାରିଲା ପରେ ତୁରନ୍ତ ଗିରଫ କରାଯିବା ସହ ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କ୍ଷତିପୂରଣ ବିଷୟରେ ସରକାରଙ୍କୁ ଜଣାଇବୁ ବୋଲି ଏସ୍ଡିପିଓ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନ ସ୍ଥଗିତ ରହିଥିଲା। ଏଥିରେ ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତିମା ମିଶ୍ର, ବିଜେପି ନେତା ସୁଦୀପ ଗଡ଼ନାୟକ, ବସନ୍ତ ମଞ୍ଜରୀ ପ୍ରଧାନ, ସୁଦୀପ୍ତ ସ୍ୱାଇଁ, ସଂଘମିତ୍ରା ପ୍ରଧାନ, ରୋଜାଲୀନ ଦାସ, ସୁଜାତା ଦାସ, ନମିତା ଦଳବେହେରା, ସମୀର ପରିଡା, ପୁରୁଷୋତ୍ତମ ନାୟକ, ବିଶ୍ୱଜିତ ମିଶ୍ର, ସୋମନାଥ ରାଉତଙ୍କ ସମେତ ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ।