ଅନୁଗୁଳ : ଆଜି ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ନାଲକୋ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପ୍ରଜାଙ୍କ ସହ ଆଲୋଚନା କରିଛି।
ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରପଦା ପଞ୍ଚାୟତର ଗୋପୀବହ୍ଲବପୁର ଗ୍ରାମର ନାଣ୍ଡିଚୂଡ଼ ଠାରେ ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋର କୋଇଲା ଖଣି କାର୍ଯ୍ୟ ମୈତ୍ରୀ ନାମକ ଏକ ଘରୋଇ ସଂସ୍ଥା କରୁଛି। ଏ ଅଞ୍ଚଳର ଜମିକୁ ନାଲକୋ ବହୁ ବର୍ଷ ପୂର୍ବରୁ ଅଧିଗ୍ରହଣ କରିଥିଲେ ବି ଏବେ ଯାଏଁ କ୍ଷତିଗ୍ରସ୍ତ ଲୋକଙ୍କୁ ଉଚିତ ପ୍ରାପ୍ୟ ମିଳିନାହିଁ। ନାଣ୍ଡିଚୁଡ଼ ଅଞ୍ଚଳର ୮୦ ଭାଗ ଲୋକ ଆଦିବାସୀ ସମ୍ପ୍ରଦାୟର। ତାଙ୍କୁ ଠକି ଉକ୍ତ କମ୍ପାନୀ ତାଙ୍କର ରାସ୍ତାକୁ କାଟି ଜୋରଜବରଦସ୍ତ କୋଇଲା ଖଣି ଖନନ କରୁଛି। ଏନେଇ କ୍ଷତିଗ୍ରସ୍ତ ପ୍ରଜା ଗାଁ ରାସ୍ତା ଉପରେ ବସି ରହି ଖଣି କାମକୁ ବିରୋଧ କରିବାରୁ ପ୍ରଶାସନ ପୋଲିସ ସହାୟତାରେ ସେମାନଙ୍କୁ ମିଛ କେସରେ ଗିରଫ କରାଇଥିଲା। ଗିରଫଙ୍କ ମଧ୍ୟରେ ୨୦ ଜଣ ମହିଳା ଓ ୨୧ ଜଣ ପୁରୁଷ ଥିଲେ। ଗତ ୨୪ ରୁ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ମେ ୨ରେ ସେମାନେ ଜାମିନରେ ଆସିଛନ୍ତି।
ଆଜି ତାଙ୍କ ସହ ବିଜେପି ଦଳ ଆଲୋଚନା କରି ଅନ୍ୟାୟରେ ମିଥ୍ୟା କେସ୍ ଲଗାଇ କ୍ଷତିଗ୍ରସ୍ତଙ୍କୁ ଗିରଫ କରିବା କାହା ସ୍ୱାର୍ଥରେ ବୋଲି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ପ୍ରଶ୍ନ କରିଛନ୍ତି। ଉଚିତ କ୍ଷତିପୂରଣ ଏବଂ ଉପଯୁକ୍ତ ଥଇଥାନ ଦାବିରେ ଦରକାର ପଡିଲେ ବିଜେପି ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି। ବିଜେପିର ଏହି ଟିମରେ ଜିଲ୍ଲା ସଭାପତିଙ୍କ ସମେତ ଜିଲ୍ଲା ଉପସଭାପତି ଚୌଧୁରୀ ପ୍ରଧାନ ଓ ଅମୀୟ ତ୍ରିପାଠୀ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ମାଝି, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପୁପୁନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।