ଅନୁଗୁଳ : ବିଜେପିର ଅନୁଗୁଳ ଜିଲ୍ଲା ପ୍ରବାସ ଯୋଜନାରେ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ଅର୍ବାନ ସେଲ ସଂଯୋଜକ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଛନ୍ତି। ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସେ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟାକୁ ୨୮ ଦିନ ବିତିଯାଇଥିଲେ ମଧ୍ଯ ସରକାର ତଦନ୍ତକୁ ବାଟବଣା କରୁଛନ୍ତି। ପ୍ରକୃତ ଦୋଷୀଙ୍କ ପାଖରେ ପହଞ୍ଚିବା ପରିବର୍ତ୍ତେ ମୋହରାକୁ ପାଗଳ ସଜାଇବାକୁ ଶତଚେଷ୍ଟା କରୁଛି ବୋଲି ସେ କହିଛନ୍ତି। ଅପରାଧୀ ପ୍ରବଣ ବିଜେଡି ଅନୁଗୁଳ ଜିଲ୍ଲାକୁ ବଦନାମ କରିବା ସହ ବରବାଦ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲା ପାଇଁ ଡିଏମଏଫ୍ ପାଣ୍ଠି ଗଠନ କରି ହଜାର ହଜାର କୋଟି ଅନୁଦାନ ଆଣୁଥିବା କହିଛନ୍ତି। ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଯୋଗଦେଇ ସାଙ୍ଗଠନିକ ସମୀକ୍ଷା ଓ ଆଲୋଚନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ପ୍ରଧାନ, ଅଗସ୍ତି ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ ଧନ୍ୟବାଦ ଦେଇଥିଲେ।