ଅନୁଗୁଳ: ଅନୁଗୁଳ ଜିଲ୍ଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବା ଦାବିରେ ଅନୁଗୁଳ ବିଜେପି ତରଫରୁ ସୋମବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯିବାସହ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ସରୋଜ ଜେନାଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭାଯାତ୍ରା ସହର ପରିକ୍ରମାକରି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା। ଏଥିରେ ବକ୍ତାମାନେ କହିଥିଲେ ଯେ, ସମଗ୍ର ରାଜ୍ୟରେ ୫୪ପ୍ରତିଶତରୁ ଊର୍ଦ୍ଧ୍ବ ଓବିସି ଥିବାବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ହାଇକୋର୍ଟରେ ଠିକ୍ ଭବେ ସରକାର ପକ୍ଷ ନରଖିପରିବାରୁ ଓବିସି ବର୍ଗ ସଂରକ୍ଷଣ ପାଇ ପାରିନାହାନ୍ତି। ଗତ ୫ ବର୍ଷରେ ୨୭ ପ୍ରତିଶତ ଓବିସି ମାନଙ୍କ ସଂରକ୍ଷଣ ରହିଥିଲା। ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ଏ ସମ୍ପର୍କରେ ଉଚ୍ଚତମ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବାବେଳେ ଓଡ଼ିଶା ସରକାର ଏ ନେଇ ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଉଚ୍ଚ ନ୍ୟାୟାଳୟ ନିଷ୍ପତି ଆଳ ଦେଖାଇ ରାଜ୍ୟ ସରକାର ଓବିସି ବର୍ଗ ଆଗାମୀ ନିର୍ବାଚନରେ ବଞ୍ଚିତ କରିବାକୁ ଉଦ୍ୟମ କରୁଛନ୍ତି ବକ୍ତାମାନେ ଅଭିଯୋଗ କରିଛନ୍ତି। ତେଣୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଆଧାରରେ ପ୍ରତିନିଧିତ୍ଵ କରିବା ପାଇଁ ପଛୁଆ ବର୍ଗଙ୍କୁ ଯେଉଁ ସାମ୍ବିଧାନିକ ଅଧିକାର ଦିଆଯାଇଛି ତାହା ସୁନିଚିତ କରିବା ପରେ ପଞ୍ଚାୟତ ନିର୍ବାଚନ କରାଯାଉ ବୋଲି ଦାବି କରାଯାଇଛି। ପରେ ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ରନାରାୟଣ ପାଣି, ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଅଗସ୍ତି ବେହେରା, ଭାଗିରଥି ପ୍ରଧାନ, ବିଜେପି ନେତା ପ୍ରଦୀପ କୁମାର ପ୍ରଧାନ, ସୁଦିପ ଗଡନାୟକ, ଚୌଧୁରୀ ପ୍ରଧାନ, ଯଶୋବନ୍ତ ପ୍ରସାଦ ବେହେରା, ଦିଲ୍ଲୀପ କୁମାର ପ୍ରଧାନ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନକରି ଓବିସି ସଂରକ୍ଷଣ ସମ୍ବନ୍ଧରେ ଆଲୋଚନା କରିଥିଲେ।