ଅନ୍ୟାନ୍ୟ

ଗଣତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ ଅଭିଯାନ: ଅନୁଗୋଳରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ

By Angul TV Bureau

November 10, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ‘ଗଣତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ’ ଅଭିଯାନ ଅବସରରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କିଟ୍‌ ସ୍କୁଲ ଅଫ୍‌ ଲ’ର ପ୍ରାଧ୍ୟାପକ ଡଃ ସତ୍ୟନାରାୟଣ ଜେନା ଯୋଗଦେଇ ସାମ୍ବିଧାନିକ ଅଧିକାର ନାମରେ ଅରାଜକତା ସୃଷ୍ଟି କରିବାର ଯଥାର୍ଥତା ନେଇ ମତ ରଖିଥିଲେ। ସରକାରଙ୍କୁ ବିରୋଧ କରିବା ଗଣତାନ୍ତ୍ରିକ ଅଧିକାର ହୋଇଥିଲେ ମଧ୍ୟ ବିରୋଧ ନାମରେ ଦେଶବିରୋଧୀ କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ। ବିକଶିତ ଭାରତ ଗଠନ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏଥିସହ ଉପସ୍ଥିତ ବୁଦ୍ଧିଜୀବୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲେଶ୍ୱର ପ୍ରଧାନ ଓ ପ୍ରତିମା ମିଶ୍ର, ସମ୍ମିଳନୀର ସଂଯୋଜକ ନୃସିଂହ ବରାଳ ଏବଂ ଜିଲ୍ଲା ବୁଦ୍ଧିଜୀବୀ ପ୍ରକୋଷ୍ଠ ସଂଯୋଜକ ବିଶ୍ୱରଞ୍ଜନ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ସମଗ୍ର ଜିଲ୍ଲାରୁ ଶତାଧିକ ବୁଦ୍ଧିଜୀବୀ ଏଥିରେ ଯୋଗଦେଇଥିଲେ।