ମୁଖ୍ୟ ଖବର

କିଶୋରନଗର ବିଡିଓଙ୍କ ବିଜ୍ଞାପନରେ ବିଜେଡି ଚିହ୍ନକୁ ବିଜେପିର ବିରୋଧ, ଜିଲ୍ଲାପାଳଙ୍କୁ ଭେଟି କଲା ଅଭିଯୋଗ

By Angul TV Bureau

March 09, 2023

ଅନୁଗୁଳ: ଅନୁଗୁଳ କିଶୋରନଗର ବିଡିଓ ଓଡିଶା ସରକାରୀ କର୍ମଚାରୀ ସର୍ଭିସ କୋଡ଼ ୧୯୫୯କୁ ଉଲ୍ଲଙ୍ଘନ କରି ବିଜେଡି ଦଳର ଚିହ୍ନ ଲଗାଇ ବିଜ୍ଞାପନ ଦେଇଥିବା ଏବଂ ଜିଲ୍ଲାର ଅନ୍ୟାନ୍ୟ ସମସ୍ୟା ନେଇ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ଆଲୋଚନା କରିଛନ୍ତି।

ଅଭିଯୋଗ ମୁତାବକ, କିଶୋରନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ ବିହାରୀ ବେହେରା ଗତ ମାର୍ଚ୍ଚ ୫ ତାରିଖ ଦିନ ଏକ ଖବରକାଗଜରେ ବିଜୁ ଜନତା ଦଳର ଶଙ୍ଖ ଚିହ୍ନକୁ ବ୍ୟବହାର କରି ବିଜ୍ଞାପନ ଦେଇଛନ୍ତି। ପଞ୍ଚାୟତିରାଜ ଦିବସରେ ଏପରି ବିଜ୍ଞାପନ ଦେଇ ରାଜନୈତିକ ଦଳ ବିଜେଡି ପାଇଁ ଖୋଲାଖୋଲି ଭାବେ ପ୍ରଚାର ପ୍ରସାର କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ସରକାରୀ ଅଧିକାରୀ ହୋଇ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରିବା ଓଡିଶା ସରକାରୀ କର୍ମଚାରୀ ସର୍ଭିସ କୋଡ଼ ୧୯୫୯ ର ଉଲ୍ଲଂଘନ ବୋଲି ବିଜେପି କହିଛି। ନିୟମ ଅନୁଯାୟୀ, କୌଣସି ସରକାରୀ କର୍ମଚାରୀ ରାଜନୈତିକ ଦଳର କାର୍ଯ୍ୟ କରିପାରିବ ନାହିଁ। ଆସନ୍ତାକାଲି ଏ ନେଇ କିଶୋରନଗର ଥାନାରେ ବିଡିଓଙ୍କ ସମ୍ପର୍କରେ ଲିଖିତ ଏତଲା ଦିଆଯିବ ବୋଲି ଜିଲ୍ଲା ସଭାପତି କହିଛନ୍ତି।

ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଓ ପ୍ରତାପ ଚନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ରୋଜାଲିନ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଚନ୍ଦ୍ରକାନ୍ତ ଧଳ, ପ୍ରଶାନ୍ତ ପୃଷ୍ଟି, ମିଲାପ ପ୍ରଧାନ, ଅମୂଲ୍ୟ ପ୍ରଧାନ ଓ ସୋମୁ ମିଶ୍ର ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ।