ତାଳଚେର : ବିଜେଡି ପକ୍ଷରୁ ଆଜି କରାଯାଇଥିବା ତାଳଚେର ବନ୍ଦକୁ ବିଜେପି ବିରୋଧ କରିଛି। ଏ ଅବସରରେ ସ୍ଥାନୀୟ ଏକ ହୋଟେଲରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛି। ଆଜିର ତାଳଚେର ବନ୍ଦକୁ ବିଜେଡି ତଥା ତାଳଚେର ବିଧାୟକଙ୍କ ଦ୍ୱାରା ପ୍ରାୟୋଜିତ ବୋଲି ବିଜେପି କହିଛି।
ବିଜେପି ମିଡିଆ ସେଲ ପକ୍ଷରୁ ଆହୁତ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ ଯୋଗଦେଇ ତାଳଚେର ସୁରକ୍ଷା ମଞ୍ଚ ତଥା ପ୍ରଚ୍ଛଦ ପଟରେ ଥିବା ତାଳଚେର ବିଧାୟକ ଏବଂ ବିଜେଡି ଦ୍ୱାରା ଦିଆଯାଇଥିବା ତାଳଚେର ବନ୍ଦକୁ ନା ପସନ୍ଦ କରାଯାଇଛି। ଏହି ବନ୍ଦ ଫଳରେ ହଜାର ହଜାର ଶ୍ରମିକ, ବ୍ୟବସାୟୀ, ଠିକା କର୍ମଚାରୀ ଗୋଟିଏ ଦିନର ରୋଜଗାର ହରାଇଛନ୍ତି। ତାଙ୍କୁ ତାର ମୂଲ୍ୟ କିଏ ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ପ୍ୟାରୀ ମୋହନ ପ୍ରଧାନଙ୍କ ଅକାଳ ବିୟୋଗରେ ବିଜେପି ପକ୍ଷରୁ ଶୋକବ୍ୟକ୍ତ କରାଯାଇଥିଲା। ତାଳଚେରରେ ଦୁଇଦିନ ହେଲା ଏକ ପ୍ରକାର ଅରାଜକତା ଦେଖା ଦେଇଛି। ଗତକାଲି କୋଇଲା ଖଣି ସବୁ ବିନା ନୋଟିସରେ ବନ୍ଦ ଓ ଆଜି କୋଇଲା ଖଣି ସମେତ ତାଳଚେର ବନ୍ଦର କାରଣ କଣ ବୋଲି ବିଜେପି ପ୍ରଶ୍ନ କରିଛି। ଯଦି ନିଜ ସରକାର ଏବଂ ପ୍ରଶାସନ ଉପରେ ତାଙ୍କ ଭରସା ନାହିଁ ତେବେ ସେମାନେ ନ୍ୟାୟାଳୟର ଆଶ୍ରୟ ନିଅନ୍ତୁ। ଏଭଳି ବନ୍ଦ ନ କରନ୍ତୁ ବୋଲି ବିଜେପି କହିଛି।
କାର୍ଯ୍ୟକ୍ରମରେ ତାଳଚେର ବିଜେପି ମିଡ଼ିଆ ସେଲ ସଂଯୋଜକ ସୁଶାନ୍ତ ସାମଲ, ପୂର୍ବ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ବରିଷ୍ଠ ନେତା ରାଜେନ୍ଦ୍ର ସିଂହ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦିପ ଗଡ଼ନାୟକ, ଜିଲ୍ଲା ଉପ ସଭାପତି ମନୋଜ ପ୍ରଧାନ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ମଣ୍ଡଳ ସଭାପତି ବରୁଣ ସାହୁ, ନରେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।