ମୁଖ୍ୟ ଖବର

ରାଜ୍ୟ ବଜେଟକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

By Biswaranjan Pattnaik

August 04, 2024

ଅନୁଗୁଳ: ନିକଟରେ ଉପସ୍ଥାପିତ ହୋଇଥିବା ରାଜ୍ୟ ବଜେଟକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି,ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି,ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,ବରିଷ୍ଠ ବିଜେପି ନେତା ଦିଲୀପ ପ୍ରଧାନ,ମିଡ଼ିଆ ପ୍ରଭାରୀ ପର୍ଶୁରାମ ବାରିକଙ୍କ ସମେତ ଅନ୍ୟ ବହୁ ନେତା ଉପସ୍ଥିତ ଥିଲେ। ବିଜେପି ଜିଲ୍ଲା ସଭାପତି ଡ଼ିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ମିଳନୀରେ ବିଧାୟକ ଶ୍ରୀ ମହାନ୍ତି ପୂର୍ବ ସରକାରର ଦୋଷ ତ୍ରୁଟିକୁ ସମାଲୋଚନା କରିବା ସହ ନୂଆ ବଜେଟରେ ମୋହନ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତି କିଭଳି ପ୍ରତିଫଳିତ ହୋଇଚି ତାହା ବର୍ଣ୍ଣନା କରିଥିଲେ।

ନୂଆ ବଜେଟକୁ ଶ୍ରୀ ମହାନ୍ତି ଐତିହାସିକ ବୋଲି କହିବା ସହ ବିକଶିତ ଓଡ଼ିଶାର ଏଥିରେ ମୂଳଦୁଆ ପଡ଼ିଲା ବୋଲି କହିଥିଲେ।ବଜେଟ ରେ ଗରିବ,ମହିଳା,ଯୁବକ ଓ କୃଷକଙ୍କ ବିକାଶ ପାଇଁ ଗୁରୁତ୍ବ ଦିଆଯାଇଛି।ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସହାୟତା ପାଇଁ ଖସଡ଼ା ତିଆରି ହେଉଛି। ଧାନର ସର୍ବନିମ୍ନ କ୍ରୟମୁଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୮୦ ବର୍ଷରୁ ଉର୍ଦ୍ଧ୍ବ ବୁଢା ବୁଢ଼ୀଙ୍କ ପାଇଁ ଭତ୍ତାର ପରିମାଣ ୩୫୦୦ ଟଙ୍କା କରାଯାଇଛି। ରାଜ୍ୟରେ ୫୮ ଟି ଶୀତଳ ଭଣ୍ଡାର ନିର୍ମାଣ କରାଯିବ ଏବଂ କୃଷିର ଉନ୍ନତି ପାଇଁ ସମସ୍ତ ପଦକ୍ଷେପ ନିଆଯିବ।

ମୁଖ୍ୟମନ୍ତ୍ରୀ କିଶାନ ଯୋଜନା ଓ ଶ୍ରୀ ଅନ୍ନ ଅଭିଯାନ ପାଇଁ ପ୍ରଚୁର ଅର୍ଥ ବ୍ୟବସ୍ଥା କରାଯାଇଛି ।ସମୃଦ୍ଧ କୃଷକ ଯୋଜନାରେ ଚାଷୀଙ୍କ ଆୟ ଦ୍ଵିଗୁଣିତ କରିବାପାଇଁ ଗୁରୁତ୍ବ ଦିଆଯାଉଛି। ବଜେଟ ଖର୍ଚ୍ଚର ପରିମାଣ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି। ଓଡ଼ିଶା ଅସ୍ମିତାର ବିକାଶ ପାଇଁ ୨୦୦ କୋଟି,ସ୍ବାସ୍ଥ୍ୟ ସେବା ଲାଇନ୍ ୨୪୬୨ କୋଟି ଟଙ୍କା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ (ଗ୍ରାମୀଣ) ୬୦୯୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜ୍ୟରେ ଜନଜାତିର ବିକାଶ,ପର୍ଯ୍ୟଟନର ବିକାଶ ପାଇଁ ଧ୍ୟାନ ଦିଆଯିବ। ଦକ୍ଷତା ବିକାଶ ସହ କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ କରାଯିବ।ଉଠା ଦୋକାନୀଙ୍କ ପାଇଁ ଷ୍ଟ୍ରିଟ ଫୁଡ୍ ହବ୍,ସାପ୍ତାହିକ ହାଟ ଆଦି ନିର୍ମାଣ କରାଯିବ। ମୋଟ ଉପରେ ଡବଲ ଇଞ୍ଜିନ ସରକାର ଦେଶ ସମେତ ରାଜ୍ୟର ବିକାଶ ପାଇଁ ସବୁମନ୍ତେ ଉଦ୍ୟମ ହେବ ।