ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବରପଡ଼ିଆ ସ୍ଥିତ ବ୍ଲକ ସଭାଗୃହରେ ୮୦ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଡ଼ିଓ ଶୁଭକାନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବି.ଏସ୍.ଏସ୍.ଓ. ଝସକେତନ ସାହୁ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ।
ଆସନ୍ତା ୧୦ ତାରିଖରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ୩୩ଟି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ବକ୍ତୃତା, ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ। କୃତୀ ପ୍ରତିଯୋଗୀଙ୍କୁ ସ୍ବାଧୀନତା ଦିବସ ଦିନ ପୁରସ୍କୃତ କରାଯିବ। ଚଳିତ ବର୍ଷ ମାଟ୍ରିକ, ସିବିଏସ୍ଇ, +୨ ଏବଂ +୩ ପରୀକ୍ଷାରେ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ସଦାଶିବ ଦେହୁରୀ ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ବୈଠକରେ ଏବିଡିଓ ହିମାଂଶୁ ଶେଖର ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦୀପ୍ତିରାଣୀ ପ୍ରଧାନ, ଉପାଧ୍ୟକ୍ଷ ଲବ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଓ ଶିକ୍ଷକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।