ଅନୁଗୁଳ: ରାଜ୍ୟ ମହିଳା କମିଶନ ଓ ଅନୁଗୁଳ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତାଳଚେର ସମନ୍ଵିତ ଶିଶୁ ବିକାଶ ସଭାଗୃହଠାରେ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନର ସଦସ୍ୟା ପ୍ରତିଭା ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ରୀତାରାଣୀ ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୁପମା ପାଣି, ତାଳଚେର ଆଇଆଇସି ଶ୍ୟାମଲାଲ ଓରାମ, ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ସୌଭାଗିନି ଦେବୀ ଏବଂ UNICEFର ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ନିଜ ଅଭିଭାଷଣରେ ଲିଙ୍ଗଗତ ବୈଷମ୍ୟ ଦୂରୀକରଣ, ଘରୋଇ ହିଂସା ରୋକିବା, ମହିଳା ସୁରକ୍ଷା ଆଇନ ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଗୁରୁତ୍ୱପୂର୍ଣ୍ଣ ମତାମତ ପ୍ରଦାନ କରିଥିଲେ।
ଏ ଅବସରରେ ବାଲ୍ୟବିବାହ ମୁକ୍ତ ସମାଜ ଗଠନ ଓ ଶିଶୁ ସୁରକ୍ଷା ପାଇଁ ସାମୂହିକ ଶପଥ ପାଠ କରାଯାଇଥିଲା। ପ୍ଲାନ ଇଣ୍ଡିଆର ପ୍ରକଳ୍ପ ପରିଚାଳକ ସନ୍ତୋଷ କୁମାର ବେହେରା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ରୋକିବା, ଡାହାଣୀ ପ୍ରଥା ବିରୋଧୀ ଆଇନ, ପୋକସୋ ଆକ୍ଟ, ମମତା ଓ ଜନନୀ ସୁରକ୍ଷା ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଶେଷରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା।