ଅନୁଗୋଳ: ପୂଜାର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାନବସେବାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ବଡ଼ମୂଳ ଗ୍ରାମବାସୀ। ଗଜଲକ୍ଷ୍ମୀ ପୂଜା ଅବସରରେ ଗୋଲ୍ଡେନ୍ ଷ୍ଟାର କ୍ଲବ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।
ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡ଼ା ଥାନା ଅଞ୍ଚଳର କତଡ଼ା ପଞ୍ଚାୟତ ଅଧୀନ ବଡ଼ମୂଳ ଗ୍ରାମରେ ଏହି ଏକଦିନିଆ ଶିବିର ଅନୁଷ୍ଠିତ ହୋଇଥିଲା। କତଡ଼ା ସରପଞ୍ଚ କଳ୍ପନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୁବନେତା ରଣଜିତ ପ୍ରଧାନ, ସିଲୁ ସାହୁ ଓ କେଶବ ପ୍ରଧାନ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ପ୍ରତିକୂଳ ପାଗ ସତ୍ତ୍ୱେ ରକ୍ତଦାତାଙ୍କ ଉତ୍ସାହ କମି ନଥିଲା। ଅନୁଗୋଳ ଜିଲ୍ଲା ରେଡକ୍ରସ୍ ରକ୍ତଭଣ୍ଡାରର ଅଧିକାରୀ ଓ କର୍ମଚାରୀମାନେ ଶିବିର ପରିଚାଳନା କରିଥିଲେ। କ୍ଲବ ସଭାପତି ଗୁରୁଦେବ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ କ୍ଲବର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।