ଅନ୍ୟାନ୍ୟ

ଅନୁଗୋଳରେ ପ୍ରଦୂଷଣର ଚିନ୍ତା: ଜିଲ୍ଲାପାଳଙ୍କୁ ବିଏମଏସ ପର୍ଯ୍ୟାବରଣ ମଞ୍ଚର ୯ ଦଫା ଦାବିପତ୍ର

By Angul TV Bureau

June 05, 2026

ଅନୁଗୋଳ: ଜିଲ୍ଲାରେ ବଢୁଥିବା ମାତ୍ରାଧିକ ପ୍ରଦୂଷଣର ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ଭାରତୀୟ ମଜଦୁର ସଂଘ (BMS) ଦ୍ୱାରା ସଞ୍ଚାଳିତ ‘ପର୍ଯ୍ୟାବରଣ ମଞ୍ଚ ଓଡ଼ିଶା’ ତରଫରୁ ଅନୁଗୋଳ ଜିଲ୍ଲାପାଳଙ୍କୁ ଏକ ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଂଯୋଜକ ମାନସ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ବାଦଲ ମହାରଣା ଓ ରାଜ୍ୟ ସଂଯୋଜକ ଶ୍ରୀନିବାସ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି ଯେ, ଶିଳ୍ପ ସମୃଦ୍ଧ ଅନୁଗୋଳରେ ବାୟୁ ଏବଂ ଭୂତଳ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୧୬ର ଖୋଲାଖୋଲି ଉଲ୍ଲଂଘନ ଯୋଗୁଁ ମାଟି ଓ ଜଳ ବିଷାକ୍ତ ହେବାରେ ଲାଗିଛି।ମଞ୍ଚ ପକ୍ଷରୁ ପ୍ରଦୂଷଣକାରୀ ଗାଡ଼ି ଓ କାରଖାନା ଉପରେ କଠୋର କାର୍ଯ୍ୟାନୁଷ୍ଠାନ, ବ୍ୟାପକ ବୃକ୍ଷରୋପଣ, ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଏବଂ ବର୍ଷା ଜଳ ସଂରକ୍ଷଣ ପାଇଁ ବାର୍ଷିକ ଯୋଜନା ପ୍ରସ୍ତୁତ କରିବାକୁ ଦାବି କରାଯାଇଛି। ସରକାରୀ ଜମିକୁ ଜବରଦଖଲ ମୁକ୍ତ କରି ଜନଭାଗିଦାରୀରେ ପରିବେଶ ସୁରକ୍ଷା ପାଇଁ ସଙ୍ଘ ଚେତାବନୀ ଦେଇଛି।