ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବଇଣ୍ଡା ରେଳ ଓଭରବ୍ରିଜ୍ ଉପରୁ ଏକ ବାଇକ୍ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକଜଣକ ହେଉଛନ୍ତି ଅନୁଗୁଳ ବ୍ଲକ୍ ପଞ୍ଚମହଲା ଅଞ୍ଚଳର ନୀର ପ୍ରଧାନ।
ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ନୀର ନିଜ ବାଇକ୍ (OD-19-SC-9432) ଯୋଗେ ଆଠମଲ୍ଲିକରୁ ଅନୁଗୁଳ ଅଭିମୁଖେ ଫେରୁଥିଲେ। ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତାରେ ଥିବା ରେଳ ଓଭରବ୍ରିଜ୍ ଅତିକ୍ରମ କରୁଥିବା ସମୟରେ ହଠାତ୍ ଗାଡ଼ିଟି ନିୟନ୍ତ୍ରଣ ହରାଇଥିଲା। ବାଇକ୍ଟି ବ୍ରିଜ୍ ବାଡ଼ରେ ପିଟି ହୋଇ ପ୍ରାୟ ୩୦ ଫୁଟ୍ ତଳକୁ ରେଳ ଧାରଣା ଉପରକୁ ଖସି ପଡ଼ିଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ନୀରଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବଇଣ୍ଡା ଫାଣ୍ଡି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକ୍କୁ ଜବତ କରିଛି। ଏହି ମାମଲାରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ରିଜ୍ ଉପରେ ସୁରକ୍ଷା ବ୍ୟବସ୍ଥା ଓ ଦ୍ରୁତ ଗତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ପରେ ପଞ୍ଚମହଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।