ମୁଖ୍ୟ ଖବର

ରୋଜଗାର ଦେଇଛି ବୋଇତ, ବର୍ଷକୁ ଥରେ ଡଙ୍ଗା ତିଆରି କରି ପରିବାର ପୋଷୁଛନ୍ତି ସୁଶାନ୍ତ

By Angul TV Bureau

November 16, 2024

ଅନୁଗୁଳ: ପବିତ୍ର କାର୍ତ୍ତିକ ମାସର ଶେଷ ଦିନ ପୂର୍ଣ୍ଣିମା ଅବସରରେ ଆବାଳ ବୃଦ୍ଧ ବନିତା ଡଙ୍ଗା ଭସାଇଛନ୍ତି। ଲୋକେ ନଦୀ କୂଳ, ପୋଖରୀ କୂଳ ଏବଂ ବିଭିନ୍ନ ଜଳାଶୟରେ ଧର୍ମର ଡଙ୍ଗା ଭସାଇଛନ୍ତି। ତେବେ ଏହି ଡଙ୍ଗା କିଛି ଲୋକଙ୍କର ଜୀବନ ଜୀବିକା ମଧ୍ୟ ସାଜିଛି। ବର୍ଷକରେ ଏଇ ଗୋଟିଏ ଦିନକୁ ଅପେକ୍ଷା କରି ରହିଥାନ୍ତି ଏହି ବେପାରୀ। ପୁଣ୍ୟର ଡଙ୍ଗାକୁ ତିଆରି କରି ବଜାରରେ ବିକ୍ରି କରି ବେଶ୍ କିଛି ପଇସା ରୋଜଗାର କରିଥାନ୍ତି, ଯାହା ତାଙ୍କୁ ପରିବାର ଚଳାଇବାରେ ସହାୟକ ହୋଇଥାଏ। ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ବଅଁରପାଳ ବ୍ଲକ କାଣ୍ଡସର ଗ୍ରାମ କୁମ୍ଭାର ସାହିର ସୁଶାନ୍ତ ବେହେରା।

ସୁଶାନ୍ତ ଆଜକୁ ପ୍ରାୟ ୧୫-୧୬ ବର୍ଷ ହେବ ଏହି ବ୍ୟବସାୟକୁ ନିଜର କୌଳିକ ବୃତ୍ତି ଭାବେ ଆପଣେଇ ନେଇଛନ୍ତି। ଆଉ ଏଥିରେ ତାଙ୍କୁ ପରିବାର ଲୋକ ମଧ୍ୟ ସାହାଯ୍ୟ କରିଥାନ୍ତି। ସୁଶାନ୍ତଙ୍କ କହିବା କଥା ହେଲା, ପ୍ରଥମେ ବଜାରରୁ କିଛି ଡଙ୍ଗା କିଣି ଆଣି ବ୍ୟବସାୟ କରିଥିଲେ ଏବଂ ଭଲ ବ୍ୟବସାୟ ମଧ୍ୟ ହୋଇଥିଲା। ଏଣୁ ସେ ଚିନ୍ତା କରିଥିଲେ ନିଜେ ଡଙ୍ଗା ବନାଇ ବିକ୍ରି କରିବେ। ଆଉ ସେହି ଦିନଠାରୁ ପ୍ରତ୍ୟେକ ବର୍ଷ ନିଜେ ଏବଂ ପରିବାର ଲୋକଙ୍କ ସହ ମିଶି ଡଙ୍ଗା ବନାଇ ବିକ୍ରି କରୁଛନ୍ତି।

ଗତ ବର୍ଷ ପାଖାପାଖି ଦୁଇ ହଜାରରୁ ଊର୍ଦ୍ଧ୍ବ ଡଙ୍ଗା ତିଆରି କରି ବିକ୍ରି କରି ଭଲ ଦୁଇ ପଇସା ଲାଭ କରିଥିଲେ। କିନ୍ତୁ ଚଳିତ ବର୍ଷ ଅର୍ଥ ଅଭାବରୁ ମାତ୍ର ଆଠ ଶହରୁ ହଜାରେ ଡଙ୍ଗା ତିଆରି କରିପାରିଛନ୍ତି। ତେବେ ସରକାରୀ ସ୍ତରରେ କୌଣସି ପ୍ରକାରର ସାହାଯ୍ୟ ସହଯୋଗ ମିଳିଲେ, ନିଜର ଏହି ବ୍ୟବସାୟକୁ ଆଗକୁ ବଢ଼ାଇ ନେବା ସହ ଅଧିକରୁ ଅଧିକ ଡଙ୍ଗା ବନାଇ ବ୍ୟବସାୟ ବଢାଇ ପାରନ୍ତେ ବୋଲି ସୁଶାନ୍ତ କହିଛନ୍ତି।