ମୁଖ୍ୟ ଖବର

ଅନୁଗୁଳରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବଣ୍ଟାଗଲା ପ୍ରଧାନମନ୍ତ୍ରୀଙ୍କ ଲିଖିତ ପୁସ୍ତକ “ଏଗଜାମ୍ ଓ୍ୱାରିୟର୍ସ”

By Angul TV Bureau

February 23, 2023

ଅନୁଗୁଳ : ଅନୁଗୁଳ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲିଖିତ ପୁସ୍ତକ “ଏଗଜାମ ଓ୍ୱାରିୟର୍ସ” ବଣ୍ଟନ କରାଯାଇଛି। ପୁସ୍ତକ ପାଇବା ପରେ ଛାତ୍ରଛାତ୍ରୀମାନେ ଖୁସିବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏହି ବହିରେ ପରୀକ୍ଷା ସମୟରେ ପିଲା ଓ ସେମାନଙ୍କ ଅଭିଭାବକଙ୍କ ଉପରେ ଥିବା ଚାପକୁ କମାଇବା ଏବଂ ପରୀକ୍ଷାକୁ ନେଇ ଥିବା ଭୟ ଦୂର କରିବା ସହ ବିଭିନ୍ନ ଉପାଦେୟ କଥା ବର୍ଣ୍ଣନା କରାଯାଇଛି ।

ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପରୀକ୍ଷା ସମୟରେ ଭୟ ଓ କୌଣସି ଚାପର ବଶବର୍ତ୍ତୀ ହେବା ଅନୁଚିତ୍। ପ୍ରଧାନମନ୍ତ୍ରୀ କହିଛନ୍ତି, ପରୀକ୍ଷାକୁ ଏକ ବୋଝ ଭାବେ ନୁହେଁ ବରଂ ଉତ୍ସବ ଭାବେ ଦେଖିବା ଉଚିତ। ‘ଏଗଜାମ୍ ୱାରିୟର୍ସ୍’ ପୁସ୍ତକ ପିଲାଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବ।

ଜାତୀୟ ଶିକ୍ଷା ନୀତି – ୨୦୨୦ରେ ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି, ଯେଉଁମାନେ ଭାରତୀୟ ମୂଲ୍ୟବୋଧ “ବସୁଧୈବ କୁଟୁମ୍ବକମ” ଆଧାରରେ ମାନବତାର କଲ୍ୟାଣ ପାଇଁ ପ୍ରତିଜ୍ଞାବଦ୍ଧ ରହିବେ । ୨୦୩୬ ମସିହାକୁ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ସେହିପରି ଆମ ଦେଶ ଭାରତ ୨୦୪୭ରେ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ମଧ୍ୟରେ ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀଙ୍କର କଳ୍ପନା ରହିଛି । ଏଥିପାଇଁ ଏହି କାଳଖଣ୍ଡରେ ଛାତ୍ରଛାତ୍ରୀଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।