ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ହେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

By Angul TV Bureau

April 15, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ହେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ଆଜି ଏନେଇ ବିଜେଡି ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଏହା ସହ ଦୀର୍ଘ ବର୍ଷ ଧରି ଅନୁଗୁଳର ନେତା ଜିଲ୍ଲା ସଭାପତି ପଦରେ ରହିବା ପରେ ଏବେ ତାଳଚେରକୁ ଯାଇଛି ସଭାପତି ଚଉକି।୨୦୦୯ରୁ ଲଗାତର ୪ ପାଳି ହେଲା ବ୍ରଜ ତାଳଚେରରୁ ବିଜୟୀ ହୋଇ ଆସୁଥିଲା ବେଳେ ତାଙ୍କ ନେତୃତ୍ବରେ ଦଳ ପୁଣି ଭଲ କରିବ ‌ବୋଲି ଭରସା ରଖିଛି।

ଗତ ସାଧାରଣ ନିର୍ବାଚନରେ ବିଜେଡି ଅତି ଖରାପ ପ୍ରଦର୍ଶନ କରିଥିଲା। ଦୀର୍ଘ ବର୍ଷ ହେଲା ଅନୁଗୁଳରେ ବିଜେଡି ଅପରାଜେୟ ରହିଥିଲେ ମଧ୍ୟ ଏହି ନିର୍ବାଚନରେ ବିଜେଡି ୩ ଟି ବିଧାନସଭା ଆସନ ହରାଇଥିଲା। ସେହିପରି ସାଂସଦ ପ୍ରାର୍ଥୀ ମଧ୍ୟ ପରାଜୟବରଣ କରିଥିଲେ। ଏଣୁ ସଭାପତି ବଦଳିବେ ବୋଲି ଅନୁମାନ କରାଯାଉଥିଲା। ଶେଷରେ ଏହା ସତ ପ୍ରମାଣିତ ହୋଇଛି। ସୂଚନାଯୋଗ୍ୟ ଯେ ୨୦୧୯ରୁ ଜିଲ୍ଲା ବିଜେଡି ସଭାପତି ଭାବେ ମହେନ୍ଦ୍ର ବସ୍ତିଆ ଦାୟିତ୍ବ ତୁଲାଉଥିଲେ।