ମୁଖ୍ୟ ଖବର

ଗରାଖକୁ ଅପେକ୍ଷା କରିଥିବା ବେଳେ ବ୍ରାଉନସୁଗାର ବେପାରୀକୁ ମାଡ଼ି ବସିଲା ଅବକାରୀ ପୋଲିସ, ଦେଢ଼ ଲକ୍ଷ ଟଙ୍କାର ଧଳା ଜହର ଜବତ

By Angul TV Bureau

April 22, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ବ୍ରାଉନସୁଗାର ଧରିବାରେ ଆଉ ଏକ ସଫଳତା ମିଳିଛି। ନାଲକୋନଗର ଅଞ୍ଚଳର ଜଣେ ଯୁବକ ତାଳଚେର ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି କରିବାକୁ ଗରାଖକୁ ଅପେକ୍ଷା କରିଥିବା ବେଳେ ତାକୁ ଗିରଫ କରିବା ସହ ତା ନିକଟରୁ ୧୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି।

ଜିଲ୍ଲା ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ କହିବା ଅନୁସାରେ, ନାଲକୋନଗର କନିଆବେଡା ଗାଁର ଅମୂଲ୍ୟ ଦାସଙ୍କ ପୁଅ ଅବିନାଶ ଦାଶ ଅନେକ ଦିନ ହେଲା ବ୍ରାଉନସୁଗାର କାରବାର କରୁଥିବା ନେଇ ଖବର ମିଳିଥିଲା। ଏଣୁ ତା’ ଉପରେ ନଜର ରଖାଯାଇଥିଲା।

ଆଜି ଅବିନାଶ ବ୍ରାଉନସୁଗାର ବିକ୍ରି ପାଇଁ ତାଳଚେର ଡେରା ଛକଠାରେ ଗରାଖ ଅପେକ୍ଷାରେ ଥିବା ବେଳେ ତାଳଚେର ଅବକାରୀ ଇନ୍ସପେକ୍ଟର ମଧୁସୂଦନ ବେହେରା ତାକୁ କାବୁ କରିଥିଲେ। ଯାଞ୍ଚ ବେଳେ ତା ନିକଟରୁ ୧୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କା ହେବ। ତା’ ନିକଟରୁ ଏକ ବଜାଜ ପଲସର ମୋଟରସାଇକେଲ ମଧ୍ୟ ଜବତ ହୋଇଛି। ଅବିନାଶକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।