ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ଏକ ଦାମୀ ବିଏମ୍ଡବ୍ଲ୍ୟୁ କାର୍ରେ ଚାଲିଥିଲା ବ୍ରାଉନ୍ସୁଗାର କାରବାର। ବିଶେଷ ସୂତ୍ରରୁ ଖବର ପାଇ ଅନୁଗୋଳ ସ୍ପେଶାଲ୍ ସ୍କ୍ୱାଡ୍ ଓ କଣିହାଁ ପୁଲିସର ମିଳିତ ଟିମ୍ ଛେଳିଆ ଖେଳପଡ଼ିଆ ନିକଟରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ୧୦ ଗ୍ରାମ ବ୍ରାଉନ୍ସୁଗାର ସହ ଗୋଟିଏ ବିଏମ୍ଡବ୍ଲ୍ୟୁ କାର୍ (ଓଡି-୦୨-ଜେଡ୍-୧୨୩୪) ଓ ଗୋଟିଏ ବାଇକ୍ (ଓଡି-୩୫-୧୩୬୮) ଜବତ କରାଯାଇଛି।
ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଛେଳିଆର ପପୁନ ସେଠୀ, ତେଲିସିଂହାର ଅନୁପ ଦେହୁରୀ ଓ ବଡ଼ଗୁଣ୍ଡୁରୀର ସିଲୁ ସେଠୀ। ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ପୁଲିସ ଜାରି ରଖିଛି ତଦନ୍ତ। କଣିହାଁ ଥାନାରେ ମାମଲା ନଂ-୨୨୧/୨୬ ରୁଜୁ ହୋଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।