ମୁଖ୍ୟ ଖବର

ଏଫସିଆଇ ମୁଣ୍ଡା ବଜାର ନିକଟରୁ ୧୪ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ

By Biswaranjan Pattnaik

September 14, 2022

ଅନୁଗୁଳ: ଆଜି ସକାଳେ ଏଫସିଆଇ ମୁଣ୍ଡା ବଜାର ନିକଟରେ ଜିଲ୍ଲା ଅବକାରୀ ବିଭାଗ ଛାପା ମାରି ୧୪୨ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁସାରେ,ଅନୁଗୁଳରେ ବ୍ରାଉନ ସୁଗାର କାରବାରର ଅନ୍ୟତମ କିଙ୍ଗପିନ୍ ଝିଲି ସାହୁ ଓ ତାର ସ୍ୱାମୀ ପ୍ରଦ୍ୟୁମ୍ନ ସାହୁଙ୍କୁ ସ୍କ୍ୱାର୍ଡର ସଦସ୍ୟ ମାନେ କାବୁ କରିନେଇଥିଲେ। ଏକ ସ୍କୁଟି ଯୋଗେ ଉଭୟ କାରବାର କରିବାକୁ ବାହାରିଥିବା ବେଳେ ପୂର୍ବ ସୂଚନା ମୁତାବକ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦେଶରେ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରାଯାଇ ଏଫସିଆଇ ମୁଣ୍ଡା ବଜାର ନିକଟରୁ ସେ ଦୁହିଁଙ୍କୁ ଗିରଫ କରାଯାଇ ଏକ ବ୍ୟାଗ ରୁ ୧୪୨ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ ବୋଲି କୁହା ଯାଉଛି।

ଏଠାରେ ସୂଚନା ଯୋଗ୍ୟ ଯେ ନିକଟରେ ଅମଲାପଡାରୁ ଜଣକ ପାଖରୁ ୧୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରା ଯାଇଥିଲା। ଆଜି ଗିରଫ ହୋଇଥିବା ସାହୁ ଦମ୍ପତ୍ତି ଦୀର୍ଘ ଦିନ ଧରି ପୋଲିସ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ କାରବାର କରୁଥିଲେ। କଲେଜ ଯାଉଥିବା ଯୁବକ ମାନଙ୍କୁ ନିଶା ବିକି ସେମାନଙ୍କୁ ପଥ ଭ୍ରଷ୍ଟ କରୁଥିଲେ।ଅନୁଗୁଳର ଷ୍ଟାଡିୟମ, ବିଭିନ୍ନପାର୍କ ଏବେ ବ୍ରାଉନ ସୁଗାର ନିଶା ଖୋରଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଏହି ଚଢ଼ାଉରେ ବିଭାଗ ପକ୍ଷରୁ ଅନିତା ଓଝା, ସନ୍ତୋଷ ସାହୁ, ସରୋଜ ସାହୁ, ସୌମ୍ୟା ସେଠି, ଜ୍ଞାନରଞ୍ଜନ ପଣ୍ଡା ପ୍ରମୁଖ ସାମିଲ ଥିଲେ।