ଅନ୍ୟାନ୍ୟ

ଭାରତ ବିକାଶ ପରିଷଦ ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ

By Biswaranjan Pattnaik

March 07, 2026

ଅନୁଗୁଳ: ଗାନ୍ଧୀମାର୍ଗ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଭାରତ ବିକାଶ ପରିଷଦ ଅନୁଗୋଳ ଶାଖା ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି।ସଭାପତି ଶାନ୍ତନୁ କୁମାର ସରଙ୍କ ସଭାପତିତ୍ବରେ “ସାମ୍ପ୍ରତିକ ପରିସ୍ଥିତିରେ ଆଧ୍ୟାତ୍ମିକତା ” ଶୀର୍ଷକ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଦ୍ରୌପଦୀ ପଟେଲ ଓ ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଅମରେନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ପରିଷଦର ପୂର୍ବ ପ୍ରାନ୍ତ ସଭାପତି ସତ୍ୟବାଦୀ ଦାଶ ଓ ସ୍ୱାମୀ ପୂର୍ଣ୍ଣାନନ୍ଦ ମହାରାଜ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଶ୍ରୀଯୁକ୍ତ ସର ସ୍ୱାଗତ ଭାଷଣ ପ୍ରସଙ୍ଗରେ  ପୃଥିବୀରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଆଧ୍ୟାତ୍ମିକ ମାର୍ଗର ଗୁରୁ ଭୂମିକା ରହିଛି ବୋଲି କହିଥିଲେ।

ପରିଷଦର ସମ୍ପାଦକ ବିଜୟ କୁମାର ମୋଦୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉଲ୍ଲେଖ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ପଟେଲ ସୁସ୍ଥ ସମାଜ ପାଇଁ ବ୍ୟକ୍ତି ଚରିତ୍ର ନିର୍ମାଣ ଏବଂ କଥା ନୁହଁ କାର୍ଯ୍ୟରେ ଆଧ୍ୟାତ୍ମିକତା ପ୍ରଦର୍ଶନ ଉପରେ ଗୁରୁତ୍ବ ଆରୋପ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ମିଶ୍ର ଭଗବତ୍ ଗୀତାରେ ଶାନ୍ତି ପୂର୍ଣ୍ଣ ସହାବସ୍ଥାନର ମାର୍ଗ କିଭଳି ରହିଛି ତାହା ବୁଝାଇଥିଲେ। ଶେଷରେ ପ୍ରମୋଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।