ମୁଖ୍ୟ ଖବର

ଅନୁଗୁଳ ସହରରୁ ହଟିବେ ମାରଣା ଷଣ୍ଢ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପଦକ୍ଷେପ

By Angul TV Bureau

March 08, 2026

ଅନୁଗୁଳ: ଅନୁଗୁଳ ସହରର ବଜାର ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଷଣ୍ଢଙ୍କ ଆତଙ୍କରୁ ଖୁବଶୀଘ୍ର ସହରବାସୀଙ୍କୁ ମୁକ୍ତି ମିଳିବ। ବିଶେଷ କରି ବଜାର ଛକ ଠାରୁ ଗାନ୍ଧୀ ମାର୍ଗ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ କିଛି ମାରଣା ଷଣ୍ଢ ସାଧାରଣ ଲୋକଙ୍କୁ ଆକ୍ରମଣ କରିବା ସହ ଗାଡ଼ି ମଟର ଭଙ୍ଗାରୁଜା କରୁଥିବା ନେଇ ବ୍ୟାପକ ଅଭିଯୋଗ ହୋଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ନଗର ବିଜେପି ସଭାପତି ପବନ ମାଣ୍ଡୋଠିଆ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏବେ ପ୍ରାଣୀ ସମ୍ପଦ ବିଭାଗ ଏବଂ ଅନୁଗୁଳ ପୌରପାଳିକା ସହାୟତାରେ ଏକ ମିଳିତ ଅଭିଯାନ ଆରମ୍ଭ କରାଯିବ। ଉତ୍ପାତ କରୁଥିବା ଏହି ଷଣ୍ଢ ଗୁଡ଼ିକୁ କାବୁ କରିବା ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ନିଶ୍ଚେତକ ପ୍ରୟୋଗ କରାଯାଇ ସ୍ଥାନାନ୍ତର କରାଯିବାର ଯୋଜନା ରହିଛି। ଏହି ପଦକ୍ଷେପ ଦ୍ୱାରା ବଜାର ଅଞ୍ଚଳରେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ ହେବା ସହ ଯାତାୟାତ ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଉଛି। ଏହି ନିଷ୍ପତ୍ତି ପରେ ସ୍ଥାନୀୟ ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି।