ଘଟଣା ଓ ଦୁର୍ଘଟଣା

ଚୋରି ଉଦ୍ୟମ ବିଫଳ: ଚପଲ ଛାଡ଼ି ପଳାଇଲେ ଚୋର

By Angul TV Bureau

September 23, 2022

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ସେବା ସମବାୟ ସମିତିରୁ ଚୋରି ଉଦ୍ୟମ ହୋଇଛି। ସମବାୟ ସମିତି ରାତି ଜଗୁଆଳି ନିଦରୁ ଉଠିପଡ଼ିବାରୁ ଦୁର୍ବୃତ୍ତମାନେ ପଳାଇ ଯାଇଥିଲେ।

ସୂଚନା ଅନୁଯାୟୀ, ବୁଧବାର ରାତି ପାୟ ୧୨ଟା ବେଳେ କେତେକ ଦୁର୍ବୃତ୍ତ ପୋକତୁଙ୍ଗା ସମବାୟ ସମିତି ପାଚେରି ଡେଇଁ ଭିତରେ ପଶିଥିଲେ । ସେଠାରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିବା ଦୀନବନ୍ଧୁ ଦେହୁରୀ ଉଠିପଡ଼ିଥିଲେ। ଏହାପରେ ଦୁର୍ବୃତ୍ତମାନେ ପଳାଇଥିଲେ। ତେବେ ଚୋରମାନେ ୫ ହଳ ଚପଲ ଛାଡ଼ି ପଳାଇଛନ୍ତି। ଦୀନବନ୍ଧୁ ସଙ୍ଗେ ସଙ୍ଗେ ସମବାୟ ସମିତି ସମ୍ପାଦକ ରବି ନାରାୟଣ ସାହୁଙ୍କୁ ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲା । ଅଦ୍ୟାବଧି ପୋଲିସ ଦୁର୍ବୃତ୍ତଙ୍କର ଟେର୍ ପାଇନାହିଁ। ସମବାୟ ସମିତି ପକ୍ଷରୁ ଗୁରୁବାର ଥାନାରେ ଏ ସଂପର୍କରେ ଅଭିଯୋଗ କରାଯାଇଛି ବୋଲି ସଂପାଦକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଏହି ସମବାୟ ସମିତିରୁ ପୂର୍ବରୁ ୩ ଥର ଚୋରି ହୋଇଥିଲା ।