ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକରେ ଏନଟିପିସିର ଏକ ଆସ୍ ପଣ୍ଡ (ପାଉଁଶ ପୋଖରୀ) ପାଇପ୍ ଫାଟିବା ଯୋଗୁଁ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। କଣିହାଁ ରେଞ୍ଜର ଚାରା ଉଦ୍ୟାନ ନିକଟରେ ଏହି ଦୁର୍ଘଟଣା ଘଟିବା ଫଳରେ କଣିହାଁ–ଡେରଙ୍ଗ ମୁଖ୍ୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ପାଇପ୍ରୁ ପ୍ରାୟ ଦୁଇ ଘଣ୍ଟା ଧରି ପାଉଁଶ ମିଶ୍ରିତ କାଦୁଅ ପାଣି ରାସ୍ତା ଉପରେ ପ୍ରବାହିତ ହେବା ଯୋଗୁଁ ସକାଳୁଆ ଯାତାୟାତ ଠପ୍ ହୋଇଯାଇଥିଲା। ଏହି ପ୍ରମୁଖ ସଂଯୋଗୀକରଣ ରାସ୍ତା ଉପରେ ସ୍ଥାନୀୟ ପ୍ରାୟ ୧୦ଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବାରୁ ସ୍କୁଲ, କଲେଜ ଓ ଅଫିସ୍ ଯାତ୍ରୀମାନେ ଚରମ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଏନଟିପିସି କର୍ତ୍ତୃପକ୍ଷଙ୍କ ବାରମ୍ବାର ଅବହେଳା ଓ ପ୍ରାଶାସନିକ ଉଦାସୀନତା ଯୋଗୁଁ ଏଭଳି ସ୍ଥିତି ବାରମ୍ବାର ଉପୁଜୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଏନଟିପିସି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।