ମୁଖ୍ୟ ଖବର

ଲୁହାମୁଣ୍ଡା ଫ୍ଲାଏଓଭରରେ ବସ୍-ଟ୍ରକ୍ ଧକ୍କା: ଜଣଙ୍କ ମୃତ୍ୟୁ, ୩ ଗୁରୁତର

By Angul TV Bureau

June 05, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଧୀନ ଲୁହାମୁଣ୍ଡା ଫ୍ଲାଏଓଭର ଉପରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ‘ଦିଲଖୁସ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଆଗରେ ଯାଉଥିବା ଏକ ଟ୍ରକ ପଛରେ ପିଟି ହେବା ଫଳରେ ବସ୍ ହେଲ୍ପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ବସଟି ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିଲା। ଲୁହାମୁଣ୍ଡା ଫ୍ଲାଏଓଭର ଉପରେ ବସଟି ନିୟନ୍ତ୍ରଣ ହରାଇ ଟ୍ରକ୍ ପଛରେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି।

ଖବର ପାଇ ହଣ୍ଡପା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ପୋଲିସ ମୃତଦେହ ଜବତ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣର ତଦନ୍ତ ଚଳାଇଛି।