ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଜରପଡ଼ା ତଳସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଆକ୍ରମଣରେ ଜଣେ ବୟସ୍କ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର କମାର ସାହୁ (୬୪)। ସେ ବିହନ ଓ ପନିପରିବା ମଞ୍ଜି ବ୍ୟବସାୟ କରୁଥିଲେ।
ପୁଲିସ ସୂଚନା ଅନୁଯାୟୀ, ରାତିରେ କମାର ଘରକୁ ଫେରୁଥିବାବେଳେ କେତେକ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ପରେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ହସ୍ତାନ୍ତର କରିଛି। ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି। ଥାନା ଅଧିକାରୀ ମନୋଜ କୁମାର ପ୍ରଧାନଙ୍କ ସୂଚନା ଅନୁସାରେ, ହତ୍ୟା ମାମଲା ରୁଜୁ କରି ତଦନ୍ତ ଚାଲିଛି।