ମୁଖ୍ୟ ଖବର

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ: ସମ୍ଭାବ୍ୟ ବନ୍ୟା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ

By Angul TV Bureau

June 14, 2024

ଅନୁଗୁଳ: ଆସନ୍ତା ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ବନ୍ୟାର ମୁକାବିଲା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ମହମ୍ମଦ ଅଦାଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ନବ ନିର୍ବାଚିତ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କ ସମେତ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି, ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ଓ ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଓ ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ଜିଲ୍ଲାପାଳ ନବ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇ ସ୍ବାଗତ ଭାଷଣ ଦେଇଥିଲେ। ବୈଠକରେ ରାଜସ୍ୱ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ବିଦ୍ୟୁତ୍, ପୂର୍ତ୍ତ, ଅଗ୍ନିଶମ, ଆରକ୍ଷୀ ବାହିନୀ, ପଞ୍ଚାୟତ ଓ ଗ୍ରାମୀଣ ଜଳଯୋଗାଣ ଓ ଖାଦ୍ୟ, ଯୋଗାଣ ଏବଂ ଖାଉଟି କଲ୍ୟାଣ, ନଗର ଉନ୍ନୟନ ବିଭାଗର ବିଭାଗୀୟ ଅଧିକାରୀମାନେ ନିଜ ନିଜର ପ୍ରସ୍ତୁତି ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ବର୍ଷା ଦିନ ପୂର୍ବରୁ ଡ୍ରେନ୍‌ଗୁଡିକୁ ସଫା କରିବା, ଶୁଖିଲା ଖାଦ୍ୟ ମହଜୁଦ ରଖୁବା, ଯନ୍ତ୍ର ଚାଳିତ ବୋଟ ଗୁଡିକ ସଜାଗ ରଖିବା, କଣ୍ଟ୍ରୋଲ ରୁମ୍ ଗୁଡିକୁ କାର୍ଯ୍ୟକ୍ଷମ କରିବା, ବିଦ୍ୟୁତ ଓ ଟେଲିଫୋନ ବିଭାଗ ସଜାଗ ରହିବା, ସ୍ବାସ୍ଥ୍ୟ ଓ ପଶୁ ସମ୍ପଦର ସୁରକ୍ଷା,କୃଷି କ୍ଷେତ୍ରର ସୁରକ୍ଷା,ପାନୀୟ ଜଳ ଯୋଗାଣ, ପଲିଥିନ ମହଜୁଦ ରଖିବା ଉପରେ ଗୁରୁତ୍ବାରୋପ କରି ବିଭାଗୀୟ ଅଧିକାରୀଙ୍କୁ ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଅନିଲ କୁମାର ବେଉରିଆ, ଡେପୁଟି କଲେକ୍ଟର ଶୁଭେନ୍ଦୁ କୁମାର ଜେନା, ସମସ୍ତ ଉପଜିଲ୍ଲାପାଳ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।