ମୁଖ୍ୟ ଖବର

ଅପପୁଷ୍ଟି ବିରୋଧରେ ଅଭିଯାନ; ଅଙ୍ଗନବାଡ଼ି ଶିଶୁଙ୍କୁ ମିଳିବ ପୁଷ୍ଟିକର ମାଣ୍ଡିଆ ଲଡ଼ୁ

By Angul TV Bureau

February 13, 2026

ଅନୁଗୁଳ: ଶିଶୁମାନଙ୍କ ପୁଷ୍ଟିସାଧନ ନିମନ୍ତେ ଅନୁଗୁଳ ଜିଲ୍ଲାସ୍ତରୀୟ ପାଇଲଟ୍ ‘ରାଗି ଲଡୁ’ ବଣ୍ଟନ କାର୍ଯ୍ୟକ୍ରମ ଆଜି ଛେଣ୍ଡିପଦାଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଶିଶୁମାନଙ୍କୁ ଅପପୁଷ୍ଟି କବଳରୁ ରକ୍ଷା କରିବା ସହ ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଗଠନ ପାଇଁ ମାଣ୍ଡିଆ ବା ରାଗି ଭଳି ପାରମ୍ପରିକ ଶସ୍ୟର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ଏହି ପଦକ୍ଷେପ ସ୍ଥାନୀୟ ଚାଷୀଙ୍କୁ ମାଣ୍ଡିଆ ଚାଷ ପାଇଁ ଅଧିକ ପ୍ରୋତ୍ସାହନ ଦେବ ବୋଲି ସେ ନିଜ ଅଭିଭାଷଣ ରଖିଥିଲେ।

ଏହି ପାଇଲଟ୍ ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାର ୪୬୫ଟି ଅଙ୍ଗନବାଡ଼ି କେନ୍ଦ୍ରର ପ୍ରାୟ ୧୦,୫୭୩ ଜଣ ଶିଶୁଙ୍କୁ ଅତିରିକ୍ତ ପୋଷଣ ଭାବେ ସ୍ୱାସ୍ଥ୍ୟକର ମାଣ୍ଡିଆ ଲଡୁ ପ୍ରଦାନ କରାଯିବ। ମାଣ୍ଡିଆରେ ଥିବା ପ୍ରଚୁର ପରିମାଣର କ୍ୟାଲସିୟମ୍ ଓ ଆଇରନ୍ ଶିଶୁଙ୍କ ଶାରୀରିକ ବିକାଶରେ ସହାୟକ ହେବ। ଏହି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉମା ଶଙ୍କର ମିଶ୍ର ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୁପମା ପାଣି ଉପସ୍ଥିତ ରହି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମିଶନ ଶକ୍ତିର ମହିଳା ସଦସ୍ୟା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି।