ମୁଖ୍ୟ ଖବର

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା : ଖୁବଶୀଘ୍ର କିଶୋରୀଙ୍କୁ ମିଳିବ କ୍ୟାନସର ପ୍ରତିଷେଧକ ଟୀକା

By Angul TV Bureau

August 14, 2022

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଖୁବଶୀଘ୍ର କିଶୋରୀଙ୍କୁ ମିଳିବ କ୍ୟାନସର ପ୍ରତିଷେଧକ ଟୀକା। କିଶୋରୀଙ୍କୁ କ୍ୟାନସରରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଣୁ କିଶୋରୀଙ୍କୁ ଦେବେ କ୍ୟାନସର ସୁରକ୍ଷା କବଚ। ୯ରୁ ୧୩ ବର୍ଷର ଝିଅଙ୍କୁ ଏହି ପ୍ରତିଷେଧକ ଟୀକା ଦିଆଯିବ। ରାଜ୍ୟରେ ୧୦ ଜିଲ୍ଲାର ହାଇସ୍କୁଲ ଛାତ୍ରୀଙ୍କୁ ମାଗଣାରେ ହ୍ୟୁମାନ ପାପିଲୋମା ଭାଇରସ ଏଚପିଭି ଟିକା ଦେବା ପାଇଁ ଯୋଜନା ହୋଇଥିବା ନେଇ ସୂଚନା ମିଳିଛି।

ସୂଚନା ମୁତାବକ, ଜାତୀୟ ସ୍ବାସ୍ଥ୍ୟ ମିଶନ ୨୦୨୨-୨୦୨୪ ଆଧାରରେ ଏହି ଟୀକାକରଣ ଯୋଜନା ପାଇଁ ୧୦ କୋଟି ଟଙ୍କା ଅନୁମୋଦିତ ହୋଇଛି । ଏହି ଟୀକା ଜରାୟୁ କ୍ୟାନସରରୁ ସୁରକ୍ଷା ଦେବ। ୩ଟି ବ୍ରାଣ୍ଡରେ ଉପଲବ୍ଧ ଏହି ଟୀକାର ଡୋଜ ପିଛା ଖର୍ଚ୍ଚ ୬୦୦ରୁ ୧ ହଜାର ଟଙ୍କା ରହିବ । ଟୀକାର ଦୁଇଟି ଡୋଜ୍ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ଶାଳିନୀ ପଣ୍ଡିତ କହିଛନ୍ତି, ପ୍ରଥମ ଡୋଜ ନେବାର ୬ ମାସରୁ ୧୨ ମାସ ଭିତରେ ଦ୍ବିତୀୟ ଡୋଜ୍ ଦିଆଯିବ । ଏନଏଚଏମ ଅନୁମୋଦନ ପାଇବା ପରେ ତୁରନ୍ତ ଟୀକାକରଣ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨ ବର୍ଷ ଭିତରେ ୧୦ ଜିଲ୍ଲା ବଲାଙ୍ଗୀର, ଢେଙ୍କାନୀଳ, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଟୀକା ଦିଆଯିବ ବୋଲି କହିଛନ୍ତି ଏନଏଚଏମ ନିର୍ଦ୍ଦେଶିକା।