ମୁଖ୍ୟ ଖବର

ଅବକାରୀ ଚଢ଼ଉ: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ, ଜଣେ ଗିରଫ

By Sanjeeb Biswal

December 01, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ, ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ଶୁକ୍ରବାର କୁଣ୍ଡାଝରି ଜଙ୍ଗଲରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ପରିପକ୍ୱ ଗଞ୍ଜେଇ ଗଛ ନଷ୍ଟ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଗୋପୀବଲ୍ଳଭପୁର ଗାଁର ସାହେବ ସେଠୀ।

ସୂଚନା ମୁତାବକ, ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ଜ୍ଞାନ ରଞ୍ଜନ ପଣ୍ଡା, ଛେଣ୍ଡିପଦା ତହସିଲଦାର ମାନସ ରୟ ଓ ବନବିଭାଗଙ୍କ ନେତୃତ୍ୱରେ କୁଣ୍ଡାଝରି ଜଙ୍ଗଲରେ ଚଢ଼ଉ କରାଯାଇଥିଲା। ଦେଢ଼ ଏକର ସରକାରୀ ଜମି ଉପରେ ବେଆଇନ ଭାବେ ଚାଷ ହୋଇଥିବା ୯୬୦ଟି ପରିପକ୍ୱ ଗଂଜେଇ ଗଛକୁ କାଟି ପୋଡି ନଷ୍ଟ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ। ଚଢ଼ାଉ ବେଳେ ଗଞ୍ଜେଇ ଚାଷୀ ଗୋପୀବଲ୍ଳଭପୁର ଗ୍ରାମର ସାହେବ ସେଠୀଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ତାଙ୍କ ବିରୋଧରେ ଅବକାରୀ ଥାନା କେସ ନଂ ୧୮୯/୨୩ ରେ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି।