ଘଟଣା ଓ ଦୁର୍ଘଟଣା

ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

By Angul TV Bureau

September 14, 2025

ଅନୁଗୁଳ: ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା କାର। ସୌଭାଗ୍ୟବଶତଃ ବଞ୍ଚିଗଲା ଯାତ୍ରୀଙ୍କ ଜୀବନ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ତୁବେ ଗାଁ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ୫୫ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ରବିବାର ଅପରାହ୍ନରେ କଟକରୁ ସମ୍ବଲପୁର ଯାଉଥିବା ଏକ କାର ତୁବେ ଗାଁ ପାଖରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ବର୍ଷା ଘଡ଼ଘଡ଼ିରେ ଡ୍ରାଇଭର ଭାରସାମ୍ୟ ହରାଇ ପ୍ରଥମେ ରେଲିଙ୍ଗ ଗାର୍ଡ ଓ ପରେ ଡିଭାଇଡ଼ରରେ ପିଟି ଦେଇଥିଲେ। ଫଳରେ ଗାଡ଼ିର ସୁରକ୍ଷା ବେଲୁନ ଖୋଲିଯିବା ସହିତ ଚାଳକ କିଛି ଦେଖିପାରି ନଥିଲେ। ଘଟଣାସ୍ଥଳରେ ୩ ରୁ ୪ଥର ଗାଡ଼ି ବୁଲି ବୁଲି ଏପଟ ସେପଟ ପିଟି ହୋଇ ଓଲଟି ପଡ଼ିଥିଲା।

ଆହତ ଗାଡ଼ି ଚାଳକ ବଲାଙ୍ଗିର ଜିଲ୍ଲାର ୟୁକୋ ବ୍ୟାଙ୍କ ମ୍ୟାନେଜର ବୋଲି ଜଣାପଡ଼ିଛି। ତାଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଛୋଟ ପିଲାଟି ସୁରକ୍ଷିତ ଅଛି। ଖବର ପାଇ ନାଲକୋ ଓ ଅନୁଗୁଳ ୟୁକୋ ବ୍ୟାଙ୍କର ୨ଜଣ କର୍ମଚାରୀ, ଆଦର୍ଶ ଥାନା ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏବେ ସମସ୍ତେ ବିପଦମୁକ୍ତ ଥିବା ଜଣାଯାଇଛି।