ଘଟଣା ଓ ଦୁର୍ଘଟଣା

ଚାଷୀଙ୍କ ମୁହଁରେ ଚଢ଼ିଗଲା ଶଗଡ଼

By Sanjeeb Biswal

September 07, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଇଲାକା ଟେଣ୍ଟ୍‌ଲୋଇ ଗ୍ରାମରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଚାଷୀଙ୍କ ମୁହଁରେ ଶଗଡ଼ ଚକ ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଚାଷୀ ସେହି ଗ୍ରାମର କୈଳାସ ବେହେରା (୫୬) ବୋଲି ଜଣାପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ, ନିଅଣ୍ଟିଆ ବର୍ଷା ପାଇଁ ଜିଲ୍ଲାରେ ଚାଷ କାର୍ଯ୍ୟ ପଛେଇଛି। କୈଳାସ ଧାନ ରୋଇବାକୁ ପାଇ ସୋମବାର ଅପରାହ୍ନରେ ଶଗଡ଼ରେ ବିଲକୁ ଧାନ ତଳି ନେଇଥିଲେ । ବିଲରେ ତଳି ରଖି ସେ ଶଗଡ଼ରେ ବସି ଘରକୁ ଫେରୁଥିଲେ। ମାତ୍ର ଅଧା ରାସ୍ତାରେ ବଳଦ ଚମକି ପଡ଼ି ଦୌଡ଼ିବାକୁ ଲାଗିଥିଲେ। ଶଗଡ଼ରେ ବସିଥିବା କୈଳାସ ଦୁର୍ଭାଗ୍ୟବଶତଃ ଶଗଡ଼ ଚକା ତଳେ ଖସି ପଡ଼ିଥିଲେ। ତାଙ୍କ ମୁହଁ ଉପରେ ଚକ ଚଢ଼ି ଯାଇଥିଲା। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଦା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମୁହଁରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।