ମୁଖ୍ୟ ଖବର

ପ୍ରଧାନ ଆଇ କେୟାରରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ମାମଲା: ପ୍ରତି ପୀଡ଼ିତଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା

By Biswaranjan Pattnaik

October 22, 2025

ଅନୁଗୁଳ: ଅନୁଗୁଳ ଅମଲାପଡ଼ାରେ ଥିବା ପ୍ରଧାନ ଆଇ କେୟାରରେ ଗତ ବର୍ଷ ଜୁନ ୨୦ ତାରିଖରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରିଥିବା ମାମଲାରେ ରାଜ୍ୟ ସରକାର ୧୩ ଜଣ ପୀଡ଼ିତଙ୍କୁ ଲକ୍ଷେ ଟଙ୍କା ଲେଖାଏଁ  ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଉକ୍ତ ଦିନ ଅସ୍ତ୍ରୋପଚାର ଅପେକ୍ଷାରେ ଥିବା ୧୩ ଜଣ ରୋଗୀଙ୍କୁ ଡାକ୍ତର ଚନ୍ଦ୍ରଶେଖର ପ୍ରଧାନ ଓ ବିଶ୍ୱଜିତ୍ ଦେ ଚିକିତ୍ସା କରିଥିଲେ। ହେଲେ ଅସ୍ତ୍ରୋପଚାର ପରଦିନ ରୋଗୀମାନଙ୍କ ଆଖି ଜୋରରେ ବିନ୍ଧିବାରୁ ସେମାନେ କ୍ଲିନିକକୁ ଆସିଥିଲେ। ଡାକ୍ତର ପ୍ରଧାନ ଭୟଙ୍କର ଚକ୍ଷୁ ସଂକ୍ରମଣ ହୋଇଥିବା ଜାଣି ରୋଗୀ ମାନଙ୍କୁ ସମ୍ବଲପୁର ନେଇ ଚିକିତ୍ସା କରାଇ ଥିଲେ କିନ୍ତୁ ଅସ୍ତ୍ରୋପଚାରରେ ଏଭଳି ତ୍ରୁଟିପୂର୍ଣ୍ଣ ଥିଲା ରୋଗୀମାନଙ୍କ ଅବସ୍ଥାରେ ବେଶୀ ଉନ୍ନତି ଆସିନଥିଲା।

ରୋଗୀମାନେ ବିଭିନ୍ନ ଘରୋଇ ହସ୍ପିଟାଲକୁ ଯାଇ ଯେତେ ଅର୍ଥ ଶ୍ରାଦ୍ଧ କଲେ ମଧ୍ୟ କୌଣସି ଲାଭ ହୋଇ ନଥିଲା। ଘଟଣା ପ୍ରଘଟ ପରେ ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କ୍ଲିନିକକୁ ସିଲ୍ କରି ଦିଆଯାଇଥିଲା।ଘଟଣା ସମ୍ପର୍କରେ ଖ୍ୟାତନାମା ଆଇନଜୀବି ରାଧାକାନ୍ତ ତ୍ରିପାଠୀ ରାଜ୍ୟ ମାନବିକ ଅଧିକାର କମିଶନର ଦ୍ବାରସ୍ଥ ହୋଇ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ କମିଶନ କେସ ନଂ ୧୦୬୫ରେ ମାମଲା ରୁଜୁ କରିବା ସହ ରାଜ୍ୟ ସରକାରଙ୍କୁ କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁଗୁଳ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ ଘଟଣା ସମ୍ପର୍କରେ କହିଛନ୍ତି ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ କ୍ରମେ ପ୍ରତି ପୀଡ଼ିତଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ନିର୍ଦ୍ଦେଶ ଆସିଛି।୧୩ ଜଣ ପୀଡ଼ିତଙ୍କୁ ବ୍ୟାଙ୍କ ଡିଟେଲସ,ଆଧାର କାର୍ଡ ଆଦି ଦେବାକୁ ଚିଠି କରାଯାଇଛି। ଉପଯୁକ୍ତ ଦଲିଲ ସରକାରଙ୍କୁ ପ୍ରଦାନ କରାଗଲା ପରେ ପୀଡ଼ିତଙ୍କ ଆକାଉଣ୍ଟକୁ ସହାୟତା ଟଙ୍କା ପଠାଯିବ।

ଏଠାରେ ସୂଚନା ଯୋଗ୍ୟ ଯେ, ଉକ୍ତ ଦୁଇ ଅଭିଯୁକ୍ତ ଡାକ୍ତର ନିଜ କ୍ଲିନିକ ନାଁ ବଦଳାଇ ଅନୁଗୁଳରେ ଆଖି ଚିକିତ୍ସା ଜାରି ରଖିଥିବା ସାଧାରଣରେ ଅଭିଯୋଗ ହେଉଛି।