ମୁଖ୍ୟ ଖବର

ଅନୁଗୋଳ ନବୋଦୟ ବିଦ୍ୟାଳୟ ଡ୍ରାଇଭରଙ୍କୁ ମାଡ଼ ମାମଲା: ଗାଡ଼ି ଚାଳକ ନିଖୋଜ, ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନ

By Angul TV Bureau

August 16, 2026

ଅନୁଗୋଳ: ଅନୁଗୋଳ ଜବାହର ନବୋଦୟ ବିଦ୍ୟାଳୟର ଗାଡ଼ି ଚାଳକ ବିଦ୍ୟାଧର ହାତୀଙ୍କୁ ମାଡ଼ ମାମଲାରେ ନୂଆ ମୋଡ଼। ଜୀବନ ପ୍ରତି ବିପଦ ଥିବା ନେଇ ଉପ-ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ବିଦ୍ୟାଧର ଗତକାଲି ସନ୍ଧ୍ୟାଠାରୁ ପରିବାର ସହ ନିଖୋଜ ଅଛନ୍ତି। ଭୟଭୀତ ହୋଇ ସେମାନେ କୌଣସି ଅଜ୍ଞାତ ସ୍ଥାନକୁ ଚାଲିଯାଇଥିବା ଜଣାପଡ଼ିଛି।

ପୂର୍ବରୁ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ବରାଳ ଏବଂ ଅନ୍ୟ କର୍ମଚାରୀମାନେ ବିଦ୍ୟାଧରଙ୍କୁ ଏକ ବନ୍ଦ କୋଠରୀରେ ୩ ଘଣ୍ଟା ଧରି ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ବନ୍ତଳା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ, ଅଭିଯୋଗ ପ୍ରତ୍ୟାହାର ପାଇଁ ଚାପ ପକାଯିବା ସହ ତାଙ୍କ କ୍ୱାର୍ଟର୍ସରୁ ପାଣି ଓ ବିଜୁଳି ବିଚ୍ଛିନ୍ନ କରାଯାଇଥିଲା। ଏପରିକି ତାଙ୍କର ୭ ମାସର ଗର୍ଭବତୀ ପତ୍ନୀଙ୍କୁ ମଧ୍ୟ କ୍ୱାର୍ଟର୍ସ ଛାଡ଼ିବାକୁ ନୋଟିସ ଦିଆଯାଇଥିଲା।

ତେବେ ଡ୍ରାଇଭର ନିଖୋଜ ଘଟଣାକୁ ନେଇ ଅଧ୍ୟକ୍ଷ କିଛି ଜାଣି ନଥିବା କହିଥିବାବେଳେ, ପୋଲିସର ନିଷ୍କ୍ରିୟତାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ସମାଜସେବୀ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।