ଅନୁଗୁଳ: ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୨୭ ତମ ପୁଣ୍ୟତିଥି ସ୍ଥାନୀୟ ଅନୁଗୁଳ ପଞ୍ଚମହଲା ସ୍ଥିତ ରିମିଟ ମହାବିଦ୍ୟାଳୟରେ ରାଧାମୋହନ ଗଡ଼ନାୟକ ସ୍ମୃତି ସଂସଦ, ବାଣୀବିତାନ ଅନୁଗୁଳ ତରଫରୁ ପାଳିତ ହୋଇଯାଇଛି ।
ଏଥିରେ ବିଶିଷ୍ଟ କବି କୁମୁଦ ଚନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିବା ବେଳେ, ବିଶିଷ୍ଟ ବକ୍ତା ତଥା ପ୍ରଶାସକ ଡକ୍ଟର ଧରଣୀଧର ନାଥ ମୁଖ୍ୟ ଅତିଥି, ବାଗ୍ମୀ ପ୍ରଫେସର ଶାନ୍ତନୁ କୁମାର ସାର ମୁଖ୍ୟ ବକ୍ତା, ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ସମ୍ପାଦକ ରାଧାକାନ୍ତ ମହାନ୍ତି ଏବଂ ପରିଚାଳନା ବିଭାଗର ମୁଖ୍ୟ ମିତ୍ରଭାନୁ ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଗଦନୟକଙ୍କ ଅବହେଳିତ ଚରିତ୍ରର ପ୍ରସଙ୍ଗ ଉତ୍ଥାପନ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସର ଗଡ଼ନାୟକଙ୍କ ବିଶାଳ କାବ୍ୟ ସାହିତ୍ୟରେ ପ୍ରତିଫଳିତ ତାଙ୍କ ସ୍ଵତନ୍ତ୍ର ଦୃଷ୍ଟିଭଙ୍ଗୀର ପରିଚୟ ଦେଇଥିଲେ । ସଭାପତି ଶ୍ରୀଯୁକ୍ତ ଦାଶ ଶାରୀରିକ ଅସୁସ୍ଥତା ସତ୍ତ୍ୱେ ଗଡ଼ନାୟକ କାବ୍ୟ କୃତିର ବିଶେଷ ଆଲୋଚନା କରିଥିଲେ। ସ୍ମୃତି ସଂସଦର ସମ୍ପାଦକ ସୁଶାନ୍ତ କୁମାର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ମନୋଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସଭାରେ କବି ପୌତ୍ର ଆଲୋକ ଗଡ଼ନାୟକ ଓ ପୁଲକ ଗଡ଼ନାୟକଙ୍କ ସମେତ ସ୍ଥାନୀୟ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମକର୍ତ୍ତା ତଥା ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଏଥିସହ ସକାଳ ୮ ଘଟିକାରେ ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟ ସମ୍ମୁଖ ସ୍ଥିତ ରାଧାମୋହନ ଗଡ଼ନାୟକ ଉଦ୍ୟାନରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।