ମୁଖ୍ୟ ଖବର

ଜନଗଣନା ଉପ-ନିର୍ଦ୍ଦେଶକଙ୍କ ଅନୁଗୁଳ ଗସ୍ତ: ସମୀକ୍ଷା ହେଲା ଜନଗଣନା କାର୍ଯ୍ୟର ସ୍ଥିତି

By Angul TV Bureau

May 06, 2026

ଅନୁଗୁଳ: ଭାରତ ସରକାରଙ୍କ ଜନଗଣନା ଉପ-ନିର୍ଦ୍ଦେଶକ ପବିତ୍ର କୁମାର ମହଲା ଦୁଇଦିନିଆ ଅନୁଗୁଳ ଗସ୍ତ କରି ଜିଲ୍ଲାରେ ଜାରି ରହିଥିବା ଜନଗଣନା କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗସ୍ତର ପ୍ରଥମ ଦିନରେ ଶ୍ରୀ ମହଲା ବଅଁରପାଳ ତହସିଲ ଅନ୍ତର୍ଗତ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ତାଙ୍କ ସହ ଜିଲ୍ଲା ଡେପୁଟି ଜନଗଣନା ଅଧିକାରୀ ଜୟକୃଷ୍ଣ ପାତ୍ର, ବଅଁରପାଳ ତହସିଲଦାର ସୁଶାନ୍ତ କୁମାର ମିଶ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ଦ୍ୱିତୀୟ ଦିନରେ ଉପ-ନିର୍ଦ୍ଦେଶକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ସହକାରୀ ଜିଲ୍ଲାପାଳ ସଞ୍ଜୟ ଭୋଇ ଓ ରାଜ୍ୟ ସଂଯୋଜକ ଅମିତରତ୍ନମ ଏବଂ ଦୀପକ କୁମାର ମଧ୍ୟ ସାମିଲ ଥିଲେ। ଜିଲ୍ଲାରେ ଜନଗଣନା ପ୍ରକ୍ରିୟାକୁ ଅଧିକ ସଠିକ୍ ଓ ଶୃଙ୍ଖଳିତ କରିବା ପାଇଁ ଶ୍ରୀ ମହଲା ଗୁରୁତ୍ୱାରୋପ କରିଛନ୍ତି। କ୍ଷେତ୍ରସ୍ତରରେ କାର୍ଯ୍ୟର ସ୍ଥିତି ପରଖିବା ସହ ବୈଷୟିକ ଦିଗ ଉପରେ ସେ ଅଧିକାରୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ଉକ୍ତ ଗସ୍ତ ଦ୍ୱାରା ଅନୁଗୁଳ ଜିଲ୍ଲାରେ ଜନଗଣନା କାର୍ଯ୍ୟ ଆଗାମୀ ଦିନରେ ଅଧିକ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।