ଅନୁଗୋଳ: ଅନୁଗୋଳ ଜିଲ୍ଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଅନୁଗୋଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ଆସନ୍ତା ଜାନୁଆରୀ ମାସରେ ମହାସମାରୋହରେ ପାଳନ କରାଯିବ। ଏହି ଉତ୍ସବର ସଫଳ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।
ଅନୁଗୋଳ ବିଧାୟକ ତଥା ବିଦ୍ୟାଳୟର ପୁରାତନ ଛାତ୍ର ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ)ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଶତବାର୍ଷିକୀ ଉତ୍ସବକୁ ତିନିଦିନ ଧରି ଆୟୋଜନ କରିବାକୁ ସ୍ଥିର ହୋଇଛି। ଏହି ଅବସରରେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରଶାସକ ଓ ବିଶିଷ୍ଟ ଶିକ୍ଷାବିତ୍ମାନଙ୍କୁ ଅତିଥି ଭାବେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯିବ।
ଶତବାର୍ଷିକୀକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ଏକ ସ୍ୱତନ୍ତ୍ର ସ୍ମରଣିକା ପ୍ରକାଶ କରାଯିବା ସହ ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ଉତ୍ସବର ସୁପରିଚାଳନା ଓ ସଫଳତା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି। ଏହି କମିଟିଗୁଡ଼ିକ ତୁରନ୍ତ ନିଜ ନିଜର କାର୍ଯ୍ୟ ଆରମ୍ଭ କରିବେ ବୋଲି ବୈଠକରେ ସ୍ଥିର ହୋଇଛି।
ବୈଠକରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରିୟବ୍ରତ ମାଝୀ, ଅବସରପ୍ରାପ୍ତ ଶିକ୍ଷକ ଶୈଳେଶ ଚନ୍ଦ୍ର ଦାଶଗୁପ୍ତା, ବ୍ରଜକିଶୋର ମିଶ୍ର, ଭାସ୍କର ଚନ୍ଦ୍ର ସାହୁ, ରବିନ୍ଦ୍ର ସାହୁ, ପୁରାତନ ଛାତ୍ର ଡା. ପ୍ରଭାତ ପଣ୍ଡା, ବସନ୍ତ କୁମାର ଦାସ, ଦ୍ୱାରିକା ପ୍ରସାଦ ନନ୍ଦ, ଦିଲ୍ଲୀପ କୁମାର ଦାସ, ରାଜା ମହେନ୍ଦ୍ର ମିଶ୍ର, ସରୋଜକାନ୍ତ ସାହୁ, ରବିନ୍ଦ୍ର ମହାରଣା, ବିଜୟ ମୋଦୀ, ପୂର୍ବତନ ନଗରପାଳ ଶକ୍ତି ପ୍ରସାଦ ପଟ୍ଟନାୟକ, ଭକ୍ତି ପ୍ରସାଦ ଦାସ, ରାଧାକାନ୍ତ ମହାନ୍ତି, ପ୍ରଶାନ୍ତ କୁମାର ସିହ୍ନା, ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ଶତପଥୀ, ସରୋଜ ମିଶ୍ର, କିଶୋର ଚନ୍ଦ୍ର ଦାସ, ରାଜନନ୍ଦିନୀ ସାହୁ, ସୁଶାନ୍ତ ତ୍ରିପାଠୀ, ଏସ୍ଏମ୍ସି ସଭାପତି ସ୍ମିତା ପ୍ରଜ୍ଞା ଗଡ଼ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।