ମୁଖ୍ୟ ଖବର

ଆଠ ମଲ୍ଲିକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ପ୍ରଚାର: ହିଞ୍ଜିଳିରୁ କେତେ ଦାଦନ ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ କଲେ ପ୍ରଶ୍ନ

By Angul TV Bureau

April 24, 2024

ଆଠମଲ୍ଲିକ: ବୁଧବାର ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ପ୍ରଚାର କରିବା ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ହିଞ୍ଜିଳିରେ ନିର୍ବାଚନ ପ୍ରଚାର କରୁଛନ୍ତି। ତେବେ ବିଗତ ବର୍ଷ ମାନଙ୍କରେ ହିଞ୍ଜିଳିରୁ କେତେ ଜଣ ଦାଦନ ଯାଇଛନ୍ତି, ସେ ସମ୍ପର୍କରେ ସାମାଜିକ ସଂଗଠନର ଦାବି କ୍ରମେ ଶ୍ୱେତପତ୍ର ପ୍ରକାଶ କରିବେ କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୁଧବାର ଆଠମଲ୍ଲିକ ନିର୍ବାଚନମଣ୍ଡଳୀର କିଆକଟା ଓ ମାଧପୁର ସମେତ ବିଭିନ୍ନ ସ୍ଥାନରେ ପଦଯାତ୍ରା ଓ ୬୦ କିମି ରୋଡ’ ସୋ ମାଧ୍ୟମରେ ନିର୍ବାଚନ ପ୍ରଚାର କରିଛନ୍ତି। ସେ କହିଛନ୍ତି ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲହର ଚାଲିଛି। ଓଡ଼ିଶାରେ ପରିବର୍ତ୍ତନର ଧାରା ଆରମ୍ଭ ହୋଇଛି। ରାଜ୍ୟର ସାମଗ୍ରିକ ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ଏବଂ ଦେଶରେ ବିଜେପି ସରକାର ଗଠନ କରିବା ଆମର ସଂକଳ୍ପ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟ ସରକାର ଜାଣିଶୁଣି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି। ଅନେକ ଅଣବିଜେପି ଶାସିତ ରାଜ୍ୟରେ ବି ଆୟୁଷ୍ମାନ ଭାରତ ଲାଗୁ ହୋଇଛି। ଓଡ଼ିଶାରେ କ’ଣ ଅସୁବିଧା ରହିଛି ତାହା ସରକାର ହିଁ ଜାଣିଥିଲେ। ମୁଖ୍ୟମନ୍ତ୍ରୀ ହିଞ୍ଜିଳିରେ ନିର୍ବାଚନ ପ୍ରଚାର କରୁଛନ୍ତି। ସେ ଏଥର କଣ୍ଟାବାଞ୍ଜିରେ ମଧ୍ୟ ଛିଡ଼ା ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସାମାଜିକ ସଂଗଠନ ପକ୍ଷରୁ ଏକ ଦାବି ଉଠିଛି। ହିଞ୍ଜିଳିରୁ କେତେ ଦାଦନ ଯାଇଛନ୍ତି, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ସଂଗଠନ ଗୁଡ଼ିକ ଦାବି କରିଛନ୍ତି।

ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଜିଲ୍ଲା ଦେଉଳଝରୀ ନିକଟ ସିଦ୍ଧେଶ୍ୱର ବାବା, ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀ, ଓଳଥରେ ଥିବା ରାମ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।