ମୁଖ୍ୟ ଖବର

ଡିପ୍ ଫେକ୍ ଉପରେ କେନ୍ଦ୍ରର କଡ଼ା ନିୟମ, ୩ ଘଣ୍ଟାରେ ହଟିବ ବେଆଇନ ପୋଷ୍ଟ

By Angul TV Bureau

August 07, 2026

ଭୁବନେଶ୍ବର: ଡିପ୍ ଫେକ୍ ଉପରେ ସରକାରଙ୍କ କଡ଼ା ପଦକ୍ଷେପ । ୩ ଘଣ୍ଟାରେ ହଟିବ ବେଆଇନ ପୋଷ୍ଟ । ଡିପ୍ ଫେକ୍ ଓ AI ଦ୍ୱାରା ପ୍ରସ୍ତୁତ ଭ୍ରମାତ୍ମକ କଣ୍ଟେଣ୍ଟକୁ ରୋକିବା ପାଇଁ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଉପରେ ଆହୁରି କଡ଼ା ନିୟମ ଲାଗୁ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ୨୦୨୧ର IT ନିୟମରେ ସଂଶୋଧନ କରି ଅବୈଧ କଣ୍ଟେଣ୍ଟ ହଟାଇବାର ସମୟସୀମାକୁ ୩୬ ଘଣ୍ଟାରୁ କମାଇ ମାତ୍ର ୩ ଘଣ୍ଟା କରିଛି। ଏହା ବ୍ୟତିିତ ଅନୁମତି ବିନା ପ୍ରଚାରିତ ଅନ୍ତରଙ୍ଗ ଫଟୋ, ମର୍ଫଡ୍ ଇମେଜ୍ , ନଗ୍ନତା କିମ୍ବା ଛଦ୍ମବେଶ ସମ୍ପର୍କିତ କଣ୍ଟେଣ୍ଟକୁ ୨ ଘଣ୍ଟା ମଧ୍ୟରେ ହଟାଇବା ବାଧ୍ୟତାମୂଳକ କରାଯାଇଛି।

ନୂଆ ନିୟମ ଅନୁସାରେ AI ଦ୍ୱାରା ପ୍ରସ୍ତୁତ ଅଡିଓ, ଭିଡିଓ, ଫଟୋ କିମ୍ବା ଟେକ୍ସଟ୍ କୁ ‘Synthetically Generated Information (SGI)’ ଭାବେ ସ୍ପଷ୍ଟ ଲେବଲ୍ କରିବାକୁ ପଡ଼ିବ। ଏହାସହ କଣ୍ଟେଣ୍ଟର ଉତ୍ସ ଚିହ୍ନଟ ପାଇଁ ଟ୍ରେସେବଲ୍ ମେଟାଡାଟା ରଖିବା ଓ ବେଆଇନ AI କଣ୍ଟେଣ୍ଟର ପ୍ରସାର ରୋକିବାକୁ ପ୍ଲାଟଫର୍ମଗୁଡ଼ିକୁ ପ୍ରଯୁକ୍ତିଗତ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ। ଫେସବୁକ୍, ଇନ୍ ଷ୍ଟାଗ୍ରାମ୍, ୟୁଟ୍ୟୁବ୍, X ସମେତ ଭାରତର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ଏହି ନିୟମ ପ୍ରଯୁଜ୍ୟ। ନିୟମ ଉଲ୍ଲଂଘନ କଲେ IT ଆକ୍ଟର ‘ସେଫ୍ ହାର୍ବର’ ସୁରକ୍ଷା ହରାଇ ପ୍ଲାଟଫର୍ମକୁ ତୃତୀୟ ପକ୍ଷର କଣ୍ଟେଣ୍ଟ ପାଇଁ ମଧ୍ୟ ଆଇନଗତ ଭାବେ ଦାୟୀ କରାଯାଇପାରିବ। ସରକାରଙ୍କ କହିବା ଅନୁସାରେ, ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଅଧିକ ସୁରକ୍ଷିତ, ବିଶ୍ୱସନୀୟ ଓ ଜବାବଦେହି ଡିଜିଟାଲ ପରିବେଶ ସୃଷ୍ଟି କରିବା ।