ମୁଖ୍ୟ ଖବର

ଟିପିସିଓଡିଏଲର ବୈମାତୃକ ବ୍ୟବହାରକୁ ବିରୋଧ: ଆନ୍ଦୋଳନରେ ପୂର୍ବତନ ସେସୁ କର୍ମଚାରୀ

By Angul TV Bureau

December 20, 2024

ଅନୁଗୁଳ: ନିୟମକୁ ଅଣଦେଖା କରି ପୂର୍ବତନ ସେସୁ କର୍ମଚାରୀଙ୍କ ପ୍ରତି ବୈମାତୃକ ବ୍ୟବହାର ଏବଂ ବଳପୂର୍ବକ କଣ୍ଠରୋଧ ବିରୋଧରେ ଆଜି ଅନୁଗୁଳ ସମେତ ଟିପିସିଓଡିଏଲର ସମସ୍ତ ପାଞ୍ଚଟି ଇଲେକ୍ଟ୍ରିକାଲ ସର୍କଲ ଠାରେ ପୂର୍ବ ସେସ୍କୋ ଇଂଜିନିୟର ସର୍ଭିସ ଆସୋସିଏସନ, ଓଡ଼ିଶା ଇଲେକ୍ଟ୍ରିକାଲ ଇଂଜିନିୟର ଆସୋସିଏସନ ପକ୍ଷରୁ ମିଳିତ ଭାବରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି।

ଏହି ଆନ୍ଦୋଳନକୁ ଓ.ଏସ.ସି.ବି ମିନିଷ୍ଟ୍ରିଆଲ ଏମ୍ପ୍ଲୋଇଜ ୟୁନିୟନ, ଓଡିଶା ରାଜ୍ୟ ବିଦ୍ୟୁତ ନିଗମ ଯନ୍ତ୍ରୀ ସଂଘ, ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଫାଇନାନ୍ସ ଆସୋସିଏସନ ଓ ନିଖିଳ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ ସମର୍ଥନ କରି ନିଜର ଅଭିଯୋଗ ପତ୍ର ଟିପିସିଓଡିଏଲ ସିଇଓଙ୍କ ପାଖରେ ଉପସ୍ଥାପନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀଙ୍କର ପ୍ରତ୍ୟକ୍ଷ ହସ୍ତକ୍ଷେପ ଫଳରେ ଗତ ତିନି ମାସ ତଳେ ଆରମ୍ଭ ହୋଇଥିବା ପ୍ରତୀକାମୂକ ବିକ୍ଷୋଭ ସ୍ଥଗିତ ରଖାଯାଇଥିଲା। କିନ୍ତୁ କମ୍ପାନୀ କର୍ମଚାରୀଙ୍କ ଦାବିକୁ ଅଣଦେଖା କରୁଛି। ଏଣୁ ବିଭିନ୍ନ ଦାବି ନେଇ କର୍ମଚାରୀ କଳା ଫିତା ପିନ୍ଧି ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଆନ୍ଦୋଳନକାରୀ ଆସନ୍ତାକାଲି ଟିପିସିଓଡିଏଲ ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ମହମବତୀ ଜାଳି ପ୍ରତିବାଦ କରିବ ବୋଲି ସୂଚନା ଦେଇଛନ୍ତି। ତଥାପି ତାଙ୍କ ଦାବି ପୂରଣ ନହେଲେ ଆସନ୍ତା ୨୩ ତାରିଖ ଠାରୁ ସମସ୍ତ ଯନ୍ତ୍ରୀ ଓ କର୍ମଚାରୀ TPCODL ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି।