ଘଟଣା ଓ ଦୁର୍ଘଟଣା

ଭୁଜାଲି ଦେଖାଇ ସୁନାଚେନ ଓ ମୋବାଇଲ ଲୁଟ

By Angul TV Bureau

November 03, 2025

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଞ୍ଚଳର ବଲାଙ୍ଗୀରେ ସୋମବାର ଦିନ ଦ୍ୱିପ୍ରହରରେ ତିନି ଦୁର୍ବୃତ୍ତ ଭୁଜାଲି ଦେଖାଇ ଖମାର ଥାନା ଶଙ୍ଖମୁର ଗ୍ରାମର ପ୍ରଭାକର ଆଚାର୍ଯ୍ୟ ଓ ତାଙ୍କ ସ୍ତ୍ରୀଙ୍କ ଠାରୁ ସୁନାଚେନ ଓ ମୋବାଇଲ ଲୁଟି ନେଇଛନ୍ତି। ବାଇକରେ ଘରକୁ ଫେରୁଥିବା ଦମ୍ପତିଙ୍କୁ ଅଟକାଇ ଲୁଟ କରାଯାଇଥିବା ନେଇ ସମଲ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବିଗତ କିଛି ମାସ ଧରି ସମଲ ଅଞ୍ଚଳରେ ବାରମ୍ବାର ଚୋରି ଘଟୁଥିବା ବେଳେ ପୋଲିସ ଚୋରଙ୍କୁ ଧରିବାରେ ବିଫଳ ହେଉଛି। କୁଲେଇରେ ସୁନା ଗହଣା ଓ ଟଙ୍କା ଲୁଟ, ବୁରୁକୁନାରେ ଚୋରି ଓ ଗତ ମାସ ୧୩ ତାରିଖରେ ବିକିଶରରେ ସୁନାଚେନ ଲୁଟ ଘଟଣାର ତଦନ୍ତ ଅଧାରେ ରହିଛି। ଜିଲ୍ଲା ଖଣିଜ ପାଣ୍ଠିରୁ ଲଗାଯାଇଥିବା CCTV ଏକ ବର୍ଷରୁ ଅଚଳ ରହିଛି। ପେଟ୍ରୋଲିଙ୍ଗ ପାଇଁ ମିଳିଥିବା ୩ଟି ବାଇକ ଓ ଗୋଟିଏ ସ୍କୁଟି ବ୍ୟବହାର ହେଉନଥିବା ଅଭିଯୋଗ ଉଠିଛି। ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠିଥିବା ବେଳେ ଜନସାଧାରଣ ଜିଲ୍ଲା SPଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।