ଅନ୍ୟାନ୍ୟ

ହକ୍ ପାଇଁ ଏକାଠି ହେବାକୁ ବିଦ୍ୟୁତ୍ କର୍ମଚାରୀ ସଂଘ ଆହ୍ୱାନ

By Angul TV Bureau

May 01, 2022

ଅନୁଗୁଳ: ଆଜି ଶ୍ରମିକ ଦିବସ ଉପଲକ୍ଷେ ବାବା ଚମ୍ପେଶ୍ଵର ବିଦ୍ୟୁତ୍ କର୍ମଚାରୀ ସଂଘ ପକ୍ଷରୁ ଏକ ଶ୍ରମିକ ସମାବେଶ ସ୍ଥାନୀୟ କରପଡା ଜେରେଙ୍ଗ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ସଂଘର କାର୍ଯ୍ୟକାରୀ ସଭାପତି ମାନସ ପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ସଂଘ ସମ୍ପାଦକ ଦୀପକ କୁମାର ସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟବକ୍ତାଭାବେ ଏ.ଆଇ.ୟୁ.ଟି.ୟୁ.ସି. ଜିଲ୍ଲା ସଭାପତି ପ୍ରହ୍ଲାଦ ଚନ୍ଦ୍ର ସାହୁ ଯୋଗଦେଇ ଶ୍ରମିକ ଦିବସର ତାତ୍ପର୍ଯ୍ୟ ବୁଝାଇଥିଲେ।

ଏ ଅବସରରେ ସରକାରଙ୍କର ଶ୍ରମିକ ମାରଣନୀତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ଶ୍ରମିକ ମାନଙ୍କର ହକ୍ ପାଇଁ ଐକ୍ୟବଦ୍ଧ ଆନ୍ଦୋଳନ ପାଇଁ ଏସ୍.ୟୁ.ସି.ଆଇ( କମ୍ୟୁନିଷ୍ଟ) କାର୍ଯ୍ୟକର୍ତ୍ତା ନବକିଶୋର ପ୍ରଧାନ, ସୁବାସ ପ୍ରଧାନ ଆହ୍ବାନ କରିଥିଲେ। ବୈଠକରେ ଟିପିସିଓଡିଏଲରେ କାର୍ଯ୍ୟରତ ମିଟର ରିଡର ଓ ବିଲ୍ କଲେକ୍ଟର ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଭବିଷ୍ୟତରେ ସେମାନଙ୍କ ମଜୁରୀ ବୃଦ୍ଧି ନେଇ ଆନ୍ଦୋଳନ କରିବା ପାଇଁ ଏ ଅବସରରେ ନିଷ୍ପତ୍ତି ହୋଇଥିଲା। ସମାବେଶରେ ଦିଲ୍ଲୀପ କୁମାର ସାହୁ, ଶୁଭେନ୍ଦୁ ପଟ୍ଟନାୟକ, ଦୀନେଶ ମହାପାତ୍ର, ବିକାଶ ଗଡ଼ନାୟକ, ମନୋଜ କୁମାର ସାହୁ, ଅଭିଷେକ ପ୍ରଧାନ, ରମଣୀରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।