ମୁଖ୍ୟ ଖବର

ବଢ଼ୁଛନ୍ତି ରୋଗୀ କିନ୍ତୁ ନାହାନ୍ତି ଡାକ୍ତର, ଚରମରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା

By Biswaranjan Pattnaik

November 11, 2022

ଅନୁଗୁଳ : ରୋଗୀଙ୍କ ସୁବିଧା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ନିୟମ କରୁଥିଲେ ମଧ୍ୟ ପ୍ରକୃତ ରୋଗୀଟିଏ ସେ ସବୁ ସୁବିଧା ପାଇ ପାରୁନାହିଁ। କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ଅନୁଗୁଳ ସହର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଯାଏଁ ଡାକ୍ତର ଅଭାବ ଦୂର ହୋଇ ପାରିଲା ନାହିଁ। ଏଠାରେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅଭାବ ହେତୁ ନିୟମିତ ରୋଗୀମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଫଳସ୍ୱରୂପ ହସ୍ପିଟାଲରେ ପ୍ରତିଦିନ ରୋଗୀମାନେ ଗଣ୍ଡଗୋଳ କରୁଥିବା ଦେଖିବାକୁ ମିଳୁଛି। ହସ୍ପିଟାଲରେ ଆବଶ୍ୟକ ମୁତାବକ ଡାକ୍ତର ଓ ନର୍ସ ନ ଥିବାରୁ ରୋଗୀଙ୍କ ସମ୍ପର୍କୀୟମାନେ ହୋହଲ୍ଲା କରୁଛନ୍ତି।

ରିପୋର୍ଟ ମୁତାବକ, ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬୨ ଜଣ ରେଗୁଲାର ଡାକ୍ତର ଓ ଡିଏମଫରେ ୧୨ ଜଣ ରହିବା କଥା। କିନ୍ତୁ ମାତ୍ର ୩୪ ଜଣ ରେଗୁଲାର, ୨ ଜଣ ଚୁକ୍ତିଭିତ୍ତିକ ଓ ୯ ଜଣ ଡିଏମଏଫ ଡାକ୍ତର ଅଛନ୍ତି। ଆହୁରି ୨୮ ଜଣ ରେଗୁଲାର ଡାକ୍ତରଙ୍କ ଆବଶ୍ୟକତା ରହିଛି। ସେହିପରି ନର୍ସିଂ ଷ୍ଟାଫ କ୍ଷେତ୍ରରେ ୨୪୬ ଜଣ ରେଗୁଲାର ଓ ୩୫ ଜଣ ଡିଏମଏଫରୁ ରହିବା କଥା। କିନ୍ତୁ ଅଛନ୍ତି ୩୦ ଜଣ ରେଗୁଲାର, ୪୬ ଜଣ ଚୁକ୍ତିଭିତ୍ତିକ ଓ ୩୫ ଜଣ ଡିଏମଏଫ ଷ୍ଟାଫ। ଏଠାରେ ମଧ୍ୟ ଆହୁରି ୧୭୦ ଜଣ ରେଗୁଲାର ଷ୍ଟାଫଙ୍କ ଆବଶ୍ୟକତା ରହିଛି।

ପ୍ରକାଶ ଯେ ୨୦୨୦-୨୧ ରେ ୨୮୫୧୨୮ ଜଣ ଓପିଡି ରୋଗୀ ଆସିଥିବା ବେଳେ ୨୯୨୧-୨୨ ରେ ୩୨୪୪୬୫ ଜଣ ଆସିଥିଲେ। ୨୦୨୦-୨୧ ରେ ୪୨୦୩୭ ଜଣ ଆଇପିଡ଼ି ରୋଗୀ ଆସିଥିବା ବେଳେ ୨୦୨୧-୨୨ ରେ ୫୦୨୦୪ ଆସିଥିଲେ। ସେହିଭଳି ଡେଲିଭରି ଓ ଅସ୍ତ୍ରୋପଚାର ଜନିତ ଡେଲିଭରି ସଂଖ୍ୟା ମଧ୍ୟ ଦିନକୁ ଦିନ ବଢୁଛି। ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଅଧିକ ଡାକ୍ତର ଓ ନର୍ସ ନିଯୁକ୍ତି ପାଇଁ ଦାବି ହେଉଛି।