ମୁଖ୍ୟ ଖବର

ଛେଣ୍ଡିପଦା ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ଶିବିର: ୩୨୨ ଜଣ ଶ୍ରମିକଙ୍କୁ ୧.୭୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ

By Sanjeeb Biswal

December 07, 2023

ଅନୁଗୁଳ: ଆଜି ପୂର୍ବାହ୍ନରେ ଛେଣ୍ଡିପଦା ବ୍ଲକ କୋଶଳା କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ବଣ୍ଟନ ଶିବିର ଆୟୋଜିତ ହୋଇଛି। ଶିବିରରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ। ଶିବିରରେ ମୋଟ ୩୫୦ ଜଣଙ୍କୁ ନୂତନ ଶ୍ରମ କାର୍ଡ ପ୍ରଦାନ କରାଯାଇଥିବା ବେଳେ ୩୫ ଜଣଙ୍କୁ ଅଣ ସଂଗଠିତ ନୂତନ କାର୍ଡ ପ୍ରଦାନ କରାଯାଇଥିଲା। ୩୨୨ ଜଣ ନିର୍ମାଣ ଶ୍ରମିକଙ୍କୁ ମୋଟ ୧ କୋଟି ୭୩ ଲକ୍ଷ ୪୪ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ୧୪ ଜଣଙ୍କୁ ଶିକ୍ଷା ସହାୟତା ରାଶି ୧ ଲକ୍ଷ ୧୪ ହଜାର, ୨୬୭ ଜଣଙ୍କୁ ବିବାହ ସହାୟତା ରାଶି ୧ କୋଟି ୩୩ ହଜାର, ୧୯ ଜଣଙ୍କୁ ମୃତ୍ୟୁକାଳୀନ ସହାୟତା ୩୮ ଲକ୍ଷ, ୧୮ ଜଣଙ୍କୁ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ୯୦ ହଜାର, ୪ ଜଣଙ୍କୁ ମାତୃତ୍ବ ସହାୟତା ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ୧୬ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ, ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ଛେଣ୍ଡିପଦା ବ୍ଲକ ଉପାଧ୍ୟକ୍ଷା ଝରଣା ସ୍ବାଇଁ, ନିଶା ପଞ୍ଚାୟତର ସରପଞ୍ଚ ରାମଚନ୍ଦ୍ର ବେହେରା, ଆଞ୍ଚଳିକ ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ, ସହକାରୀ ଶ୍ରମ ଅଧିକାରୀ ଦେବ ପ୍ରସାଦ ମହାନ୍ତି, ସହକାରୀ ଶ୍ରମ ଅଧିକାରିଣୀ ପ୍ରିୟମ୍ବଦା ସ୍ବାଇଁ ଓ ଜିଲ୍ଲା ଶ୍ରମିକ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।