ଅନୁଗୁଳ: ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର ପରିଦର୍ଶନ କରିଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଯୁବକ। ପ୍ରାୟ ୪୦ ଜଣ ଛାତ୍ର ବୁଧବାର ସିଟିଟିସିର ଲ୍ୟାବ ଏବଂ ଉତ୍ପାଦନ ଯୁନିଟଗୁଡିକୁ ପରିଦର୍ଶନ କରିଥିଲେ। ଏଥିସହ ତାଲିମରେ ବ୍ୟବହୃତ ଉପକରଣଗୁଡିକୁ ମଧ୍ୟ ନିକଟରୁ ଦେଖିଥିଲେ। ଏହି ପରିଦର୍ଶନ ସମୟରେ ଛାତ୍ରମାନେ ପ୍ରଶିକ୍ଷଣ ସୁବିଧା, ପାଠ୍ୟକ୍ରମ ଏବଂ ନିଯୁକ୍ତି ସମ୍ଭାବନା ସମ୍ବନ୍ଧରେ ଜାଣିବାର ସୁଯୋଗ ମଧ୍ୟ ପାଇଥିଲେ।
ଜିଏମଡିସି ସିଏନସି ଟର୍ନିଂ ଏବଂ ଜେନେରାଲ ଡ୍ୟୁଟି ଆସିଷ୍ଟାଣ୍ଟ (ଜିଡିଏ) ପାଠ୍ୟକ୍ରମ ପାଇଁ ସିଟିଟିସି ଏବଂ ଡକ୍ଟର ରେଡ୍ଡି ଲ୍ୟାବ ସହିତ ବୁଝାମଣା ଚୁକ୍ତିପତ୍ର (ଏମଓୟୁ) ସ୍ବାକ୍ଷର କରିଛି। ଜିଏମଡିସି ପକ୍ଷରୁ କୁହାଯାଇଛି ଯେ, “ଆମେ ଛେଣ୍ଡିପଦା ଅଞ୍ଚଳର ସମ୍ପୂର୍ଣ୍ଣ ବିକାଶ ପାଇଁ ପ୍ରତିଶୃତିବଦ୍ଧ। ଦକ୍ଷତା ଆଧାରିତ ପ୍ରଶିକ୍ଷଣ ଏବଂ ନିଯୁକ୍ତି ସହାୟତା ପ୍ରଦାନ କରି, ଆମେ ଛେଣ୍ଡିପଦାର ଯୁବକଯୁବତୀଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଆର୍ଥିକ ସ୍ବଚ୍ଛଳତା ପ୍ରଦାନ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛୁ।”
ପ୍ରକାଶ ଯେ ଏହି ଅନୁଷ୍ଠାନ ଜିଏମଡିସି-ଜିଭିଟି ଦ୍ବାରା ପ୍ରସ୍ତାବିତ ସ୍ବତନ୍ତ୍ର ସିଏନସି ଟର୍ନିଂ ପାଠ୍ୟକ୍ରମ ଛେଣ୍ଡିପଦା ଅଞ୍ଚଳର ଯୁବକମାନଙ୍କ ପାଇଁ ପ୍ରସ୍ତୁତ କରିଛି, ଯାହା ତାଲିମ ସମାପ୍ତି ପରେ ନିଯୁକ୍ତି ଦେଇଥାଏ।