ମୁଖ୍ୟ ଖବର

ଆମ ହସ୍ପିଟାଲ୍ ଯୋଜନାରେ ଛେଣ୍ଡିପଦାକୁ ସାମିଲ କରିବାକୁ ଦାବି, ରାଜପଥ ଅବରୋଧ କଲେ ଅଞ୍ଚଳବାସୀ

By Sanjeeb Biswal

May 08, 2023

ଅନୁଗୁଳ: ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ ହସ୍ପିଟାଲ ଯୋଜନାରୁ ବାଦ କରାଯିବା ପ୍ରତିବାଦରେ ଗତ ମାସ ୨୦ ତାରିଖରୁ ସ୍ଥାନୀୟ ଲୋକେ ଆନ୍ଦୋଳନରେ ବସିଛନ୍ତି। ଦୀର୍ଘ ଦିନ ଧରି ଧାରଣାରେ ବସିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏଣୁ ଆଜି ଗ୍ରାମ ସଭାପତି ଚନ୍ଦ୍ରମଣି ପ୍ରଧାନଙ୍କ ନେତୃତ୍ୱରେ ହଜାର ହଜାର ପୁରୁଷ ମହିଳା ଏକ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରି ୬୩ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି।

ଆନ୍ଦୋଳନ ଯୋଗୁଁ ସ୍ଥାନୀୟ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ବ୍ୟାଙ୍କ ଆଦି ବନ୍ଦ ରହିବା ସହିତ ଛେଣ୍ଡିପଦାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ମଟର ଅଟକି ରହିଥିଲା।

ଆଜିର ଆନ୍ଦୋଳନରେ ପୂର୍ବତନ ବିଧାୟକ ଖଗେଶ୍ବର ବେହେରା, ଛେଣ୍ଡିପଦା ସରପଞ୍ଚ ସୁଦିପ୍ତ କୁମାର ପ୍ରଧାନ, ବିଜେପି ନେତା ଅଗସ୍ତି ବେହେରା, ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଦିଲ୍ଲୀପ ବେହେରା, ରବିନ୍ଦ୍ର ବେହେରା, କୀର୍ତ୍ତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।