ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମଝିବଜାରରେ ଥିବା ରାସନ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଛି।
ସୂଚନା ମୁତାବକ, ଛେଣ୍ଡିପଦା ମଝିବଜାରରେ ଥିବା କଳାକାର ମାଝୀ ରାସନ ଦୋକାନ ବନ୍ଦ କରି ଘରକୁ ଖାଇବାକୁ ଯାଇଥିଲେ। କିଛି ସମୟ ପରେ ବନ୍ଦ ଦୋକାନରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖି କଳାକାରଙ୍କୁ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ କଳାକାର ପହଞ୍ଚି ଦୋକାନ ଖୋଲିବା ବେଳକୁ ସବୁ ଆଡ଼ ଧୂଆଁମୟ ହୋଇଯାଇଥିଲା। ପ୍ରାୟ ୨ ଘଣ୍ଟା ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଲିଭାଇବାରେ ସଫଳ ହୋଇଥିଲା। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ତେବେ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।