ମୁଖ୍ୟ ଖବର

ଗ୍ରାମସଭାରେ ଗର୍ଜିଲେ ଗ୍ରାମବାସୀ: NLC କୋଇଲା ଖଣିକୁ ତୀବ୍ର ବିରୋଧ

By Angul TV Bureau

January 22, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଞ୍ଚାୟତରେ ନୈଭାଲି ଲିଗନାଇଟ କର୍ପୋରେସନ ଇଣ୍ଡିଆ ଲିମିଟେଡ (NLC) ପକ୍ଷରୁ ପ୍ରସ୍ତାବିତ କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଗ୍ରାମବାସୀମାନେ ଘୋର ବିରୋଧ କରିଛନ୍ତି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭା ଜନସାଧାରଣଙ୍କ ହୋହଲ୍ଲା ଓ ଅସନ୍ତୋଷ ଯୋଗୁଁ ବିଫଳ ହୋଇଛି।

ପଞ୍ଚାୟତର ୧୨ଟି ୱାର୍ଡର ଶହ ଶହ ପୁରୁଷ ଓ ମହିଳା ଏହି ସଭାରେ ଏକତ୍ରିତ ହୋଇ “ଜମି ଦେବୁନାହିଁ” ବୋଲି ରଣହୁଙ୍କାର ଦେଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଅନୁଗୁଳ ଜିଲ୍ଲା ପୂର୍ବରୁ ହିଁ ଦେଶର ସବୁଠାରୁ ପ୍ରଦୂଷିତ ଜିଲ୍ଲା ଭାବେ ପରିଗଣିତ। ଏହି ଅଞ୍ଚଳରେ ନାଲକୋ ଏବଂ ସିଂଘ୍ରାନୀ ଭଳି କମ୍ପାନୀଗୁଡ଼ିକ ପୂର୍ବରୁ କୋଇଲା ଉତ୍ତୋଳନ କରୁଥିବା ବେଳେ NLCର ପ୍ରବେଶ ଫଳରେ ହଜାର ହଜାର ଏକର ଚାଷଜମି ଓ ଜଙ୍ଗଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।

ଗ୍ରାମସଭାରେ ସରକାର ଓ କମ୍ପାନୀ ବିରୋଧରେ ଜୋରଦାର ନାରାବାଜି କରାଯାଇଥିଲା। ଯଦି ଏହି ଖଣି ପ୍ରକଳ୍ପ ବାତିଲ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏହି ସଭାରେ ଶିମିଳିପାଳ ସରପଞ୍ଚ ଗିରିଶ ଚନ୍ଦ୍ର ପ୍ରଧାନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁଷ୍ପିତା ପ୍ରଧାନ, ପୂର୍ବତନ ପ୍ରଧାନ ଶିକ୍ଷକ ମହାଦେବ ସାହୁ, ଗଣେଶ୍ୱର ସାହୁ, କୃପାସିନ୍ଧୁ ବିଶ୍ୱାଳଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।