ମୁଖ୍ୟ ଖବର

ଅନୁଗୁଳରେ ଏକାଧିକ ପ୍ରକଳ୍ପର ଭୂମିପୂଜନ କଲେ ମୁଖ୍ୟମନ୍ତ୍ରୀ, ୧୦୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ମିଳିବ ନିଯୁକ୍ତି

By Angul TV Bureau

September 15, 2025

ଅନୁଗୁଳ: ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୫ଟି ଜିଲ୍ଲାରେ ବିଭିନ୍ନ ଶିଳ୍ପର ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଓୟୁଏଟି ସମ୍ମିଳନୀ କକ୍ଷରୁ ଅନୁଗୁଳ, ଖୋର୍ଦ୍ଧା, ଗଞ୍ଜାମ, କୋରାପୁଟ ଏବଂ ଝାରସୁଗୁଡ଼ାର ୦୫ଟି ଶିଳ୍ପ ପ୍ରକଳ୍ପର ଭୂମିପୂଜନ କରିଛନ୍ତି।

ଅନୁଗୁଳ ଜିଲ୍ଲାରେ ଆଲୁମିନିୟମ ପାର୍କରେ ଭିଡିଓ କନଫରେନିଂ ମାଧ୍ୟମରେ ମେସର୍ସ ସୋଭା ସୋଲାର ଲିମିଟେଡର ଭୂମିପୂଜନରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଜିଲ୍ଲାପାଳ ଅବଦାଲ ଏମ୍. ଅଖତାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆଲୁମିନିୟମ ପାର୍କରେ ୩୮୦ କୋଟି ଟଙ୍କା ନିବେଶ କରି ଏକ ସିଲିକନ୍ ସୋଲାର ସେଲ୍ ଉତ୍ପାଦନ ପ୍ଲାଣ୍ଟ ସ୍ଥାପନ କରିବା ସହ ୮୫୦ ନିଯୁକ୍ତି ସୃଷ୍ଟି କରାଯିବ। କାର୍ଯ୍ୟକ୍ରମରେ ଅନ୍ୟ ୨୨ଟି ଶିଳ୍ପ ପ୍ରକଳ୍ପର ଭୂମିପୂଜନ ଘୋଷଣା କରାଯାଇଥିଲା। ଏ ଅବସରରେ ଅନୁଗୁଳ ଜିଲ୍ଲାର ମେସର୍ସ ମୋଗଲି ଲ୍ୟାନ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ବି ଭୂମିପୂଜନ କରାଯାଇଥିଲା। ଏହି ୟୁନିଟ୍ ଆଲୁମିନିୟମ ପାର୍କରେ ୬୫ କୋଟି ଟଙ୍କା ନିବେଶ କରି ଏକ ଆଲୁମିନିୟମ କେବୁଲ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାର ପ୍ରସ୍ତାବ ରଖିଛି, ଯେଉଁଥିରେ ୧୬୫ ଜଣଙ୍କୁ ନିଯୁକ୍ତି ମିଳିବ।

କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ଉପସ୍ଥିତ ଥିଲେ। ସେହିପରି ଅନୁଗୁଳରୁ ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ଉପଜିଲ୍ଲାପାଳ ମାୟାଧର ବେହେରା, ଜିଲ୍ଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବମୟ ପ୍ରଧାନ, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର ଶିବାଶିଷ କାନୁନଗୋ, ବିଭାଗୀୟ ମୁଖ୍ୟ, ଇଡକୋ ଯୋଗେନ୍ଦ୍ର ଭୋଇ, ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଜିତ ଧଳ, ଜିଲ୍ଲା ନିବେଶ ପ୍ରୋତ୍ସାହନ ସଂସ୍ଥା ଅଧିକାରୀ କାଳୁ ଚରଣପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।