ମୁଖ୍ୟ ଖବର

ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନିବେଶକଙ୍କୁ ଭେଟି ରାଜ୍ୟ ପାଇଁ ଆଣିବେ ବଡ଼ ସୁଯୋଗ

By Angul TV Bureau

April 03, 2023

ଭୁବନେଶ୍ୱର: ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ମୁଖ୍ୟମନ୍ତ୍ରୀ ୭ ଦିନିଆ ଜାପାନ ଗସ୍ତରେ ବାହାରିଛନ୍ତି। ତାଙ୍କ ସହ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ଆଇଟି ସଚିବ, ଆଇପିଆଇସିଓଏଲ୍ ଏମଡି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ସ୍ଵତନ୍ତ୍ର ସଚିବ ମଧ୍ୟ ଯାଇଛନ୍ତି।

ଜାପାନରେ ମୁଖ୍ୟମନ୍ତ୍ରୀ ଆଇଟି, ଶିଳ୍ପ, ପର୍ଯ୍ୟଟନ ଓ କ୍ରୀଡ଼ା କ୍ଷେତ୍ର ପାଇଁ ନିବେଶକାରୀଙ୍କୁ ଭେଟିବେ। ଇସ୍ପାତ, ଆଲୁମିନିୟମ୍, ଟେକ୍ସଟାଇଲ୍, ଖାଦ୍ୟ ଏବଂ ସାଗର-ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିୟା ସେକ୍ଟରରେ ମନୋନୀତ ଶିଳ୍ପକୁ ନେଇ ଓଡ଼ିଶାର ଏକ ବ୍ୟବସାୟ ପ୍ରତିନିଧି ମଧ୍ୟ ଜାପାନ ଗସ୍ତରେ ପ୍ରତିନିଧି ଦଳ ସହ ଯୋଗ ଦେବେ। ଏହି ଅବସରରେ ଓଡ଼ିଶା ବିଜନେସ୍ ମିଟ୍ ଟୋକିଓ ୨୦୨୩ର ଆୟୋଜନ କରାଯାଇଛି।

ଏହି ପ୍ରତିନିଧି ଦଳ କିମିତ୍ସୁ ଷ୍ଟିଲ୍ ୱାର୍କସ ଏବଂ ନିପନ୍ ଷ୍ଟିଲ୍ କର୍ପୋରେସନ୍ ଆର ଆଣ୍ଡ ଡି କେନ୍ଦ୍ର ପରିଦର୍ଶନ କରିବେ। ଓଡ଼ିଶାର ବୁଦ୍ଧ କ୍ଷେତ୍ର ଏବଂ ଇକୋ-ଟୁରିଜିମ୍ ସମ୍ବନ୍ଧୀୟ ସ୍ଥାନଗୁଡିକ ଉପରେ ଧ୍ୟାନ ଦେଇ ପର୍ଯ୍ୟଟନ କ୍ଷେତ୍ରରେ ଜାପାନ ଏବଂ ଓଡ଼ିଶା ମଧ୍ୟରେ ସହଯୋଗର ସୁଯୋଗ ଉପରେ ରାଜ୍ୟ ପ୍ରତିନିଧି କାଇଟୋରେ ଏକ ଗୋଲ୍ ଟେବୁଲ୍ ବୈଠକ କରିବେ ବୋଲି ଜଣାଯାଇଛି।