ମୁଖ୍ୟ ଖବର

ପ୍ରତିଶ୍ରୁତି ରଖିଲେ ୫-ଟି ସଚିବ: ମହାବିଦ୍ୟାଳୟର ରୂପାନ୍ତରଣ ପାଇଁ ୧୫୦ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

By Angul TV Bureau

July 19, 2023

ଅନୁଗୁଳ: ପ୍ରତିଶ୍ରୁତି ରଖିଲେ ୫-ଟି ସଚିବ। ଅନୁଗୁଳ ଜିଲ୍ଲାକୁ ଗସ୍ତ ସମୟରେ ୫-ଟି ସଚିବ ୪୭ ଟି କନିଷ୍ଠ ମହାବିଦ୍ୟାଳୟ ଓ ମହାବିଦ୍ୟାଳୟର ରୂପାନ୍ତରକରଣ କରାଯିବ ବୋଲି ଘୋଷଣା କରିଥିଲେ। ବୁଧବାର ମୁଖ୍ୟମନ୍ତ୍ରୀ ଏହା ଉପରେ ମୋହର ମାରି ୧୫୦ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏଣୁ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଛି।

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ କରି ଜିଲ୍ଲାର ୨୫ଟି କନିଷ୍ଠ ମହାବିଦ୍ୟାଳୟ ଓ ୨୨ ଟି ମହାବିଦ୍ୟାଳୟକୁ ରୂପାନ୍ତରିକରଣ ପାଇଁ ଅନୁମୋଦନ କରି ଅର୍ଥ ମଞ୍ଜୁରୀ କରିଛନ୍ତି। ଏହି କାମ ୨୦୨୩-୨୪ ଆର୍ଥିକ ବର୍ଷରେ ଶେଷ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୨୨ ଟି ମହାବିଦ୍ୟାଳୟ ପାଇଁ ୯୦ କୋଟି ଟଙ୍କା ଓ ୨୫ ଟି କନିଷ୍ଠ ମହାବିଦ୍ୟାଳୟ ପାଇଁ ୬୦ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।

ବିଜେଡି ଅନୁଗୁଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ ସଭାପତିତ୍ୱ କରିଥିବା ବେଳେ ନଗରପାଳ ଅକ୍ଷୟ କୁମାର ସାମନ୍ତ, ବିଜେଡି ନଗର ସଭାପତି ବୃନ୍ଦାବନ ସ୍ୱାଇଁ, ବଅଁରପାଳ ବ୍ଲକ ଚେୟାରମ୍ୟାନ ବିଜୟ କୁମାର ନାଥ, ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ବିଧାୟକଙ୍କ ପ୍ରତିନିଧି ଅରୁଣାଭ ସିଂହ ଓ ଆଡ଼ଭୋକେଟ ପରମାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।